ନୂଆଦିଲ୍ଲୀ: ଚୀନରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ରେସ୍ତୋରାଁ । ଭୀଷଣ ଭାବେ ନିଆଁ ଲାଗିବା ଯୋଗୁ ୨୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ୩ଜଣ ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରେସକ୍ୟୁ ଟିମ୍ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭତ୍ତି କରିଛନ୍ତି । ଏଯାଏଁ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ, ଚୀନର ପୂର୍ବ ସ୍ଥିତ ଲିୟାଓନିଙ୍ଗ ପ୍ରାନ୍ତର ଲିୟାଓୟାଙ୍ଗ ସହରରେ ଏହି ଅଗ୍ନିକାଣ୍ଡ ଘଟିଛି । ଦ୍ବିପ୍ରହର ପ୍ରାୟ ୧୨.୨୫ ମିନିଟରେ ଏକ ରେସ୍ତୋରାଁରେ ଅଚାନକ ନିଆଁ ଲାଗିଯାଇଥିଲା । କ୍ଷଣକ ମଧ୍ୟରେ ନିଆଁ ଭୀଷଣ ରୂପ ଧାରଣ କରି ପୂରା ରେସ୍ତୋରାଁକୁ କବଜା କରିଥିଲା । ଯାହାଫଳରେ ହୋଟେଲ ଭିତରରୁ ଲୋକେ ବାହାରିବାକୁ ସୁଯୋଗ ପାଇନଥିଲେ । ଭୟଙ୍କର ଦୁର୍ଘଟଣାରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ରାଷ୍ଟ୍ରପତି ସି. ଜିନପିଙ୍ଗ ଘଟଣାକୁ ନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏହାସହିତ ଗୁରୁତରଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ କିପରି ରେସ୍ତୋରାଁରେ ନିଆଁ ଲାଗିଲା ତା’ର କାରଣ ଖୋଜିବାକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ମାସରେ ଏହା ଦ୍ବିତୀୟ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ଏହା ପୂର୍ବରୁ ଏପ୍ରିଲ ୯ ତାରିରେ ଚୀନର ହୁଓ୍ବେଇ ପ୍ରାନ୍ତରେ ଏକ ନର୍ସିଂହୋମରେ ନିଆଁ ଲାଗିଯାଇଥିଲା । ଏହି ଭୟାବହ ଅଗ୍ନିକାଣ୍ଡରେ ୨୦ଜଣ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଅନେକ ଲୋକ ଗୁରୁବାର ଭାବେ ଆହତ ହୋଇଥିଲେ ।