ମଣିଷ ମରା ଷଣ୍ଢର ମୃତ୍ୟୁ, ତିନି ଘଣ୍ଟାର ପରିଶ୍ରମ ପରେ ଧରାପଡ଼ିଥିଲା

Published By : Prameya-News7 Bureau | February 10, 2025 IST

ଭୁବନେଶ୍ବର: ଆତଙ୍କ ଖେଳାଇ, ମଣିଷ ମାରି ଧରାପଡ଼ିଥିବା ଏକ ପାଗଳା ଷଣ୍ଢର ମୃତ୍ୟୁ ହୋଇଛି। ଭୁବନେଶ୍ବର ଉପକଣ୍ଠ ରୋକଟ ଗ୍ରାମରୁ ଧରାପଡ଼ିଥିବା ଏହି ଷଣ୍ଢର ମୃତ୍ୟୁ ହୋଇଛି। ପ୍ରାୟ ୪ ଦିନ ହେଲା ଗାଁ ଲୋକଙ୍କ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଥିଲା।

ସୂଚନା ଅନୁଯାୟୀ, ଷଣ୍ଢଟି ରୋକଟ ଗ୍ରାମ ଏବଂ ଏହାର ଆଖ ପାଖ ଅଞ୍ଚଳରେ ଚରାବୁଲା କରୁଥିଲା। ମାତ୍ର ପ୍ରାୟ ୪ଦିନ ହେବ ଷଣ୍ଢଟି ପାଗଳା ହୋଇଯାଇଥିଲା। ଆଉ ଗାଁ ଲୋକଙ୍କ ସହ କୁକୁର, ଗାଈ ଗୋରୁ ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିଲା। 

ଏମିତିକି ଷଣ୍ଢ ଆକ୍ରମଣରେ ସେହି ଗାଁର ମହିଳା ହେମଲତା ଦାସଙ୍କର ମୃତ୍ୟୁ ହେଇଥିଲା। ସେହିପରି ଆଉ ଏକ ବାଛୁରୀ ମଧ୍ୟ ପ୍ରାଣ ହରାଇଥିଲା।  ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଥିଲେ ଲୋକେ। ଅବଶ୍ୟ ମଞ୍ଚେଶ୍ଵର୍ ଥାନା ଅଧିକାରୀଙ୍କ ବୁଝାସୁଝା ପରେ ତିନିଘଣ୍ଟା ପରେ ରାସ୍ତାରୋକ ହଟିଥିଲା। ହେଲେ ଷଣ୍ଢକୁ ଧରାଯାଇପାରିନଥିଲା।ହେଲେ ପୁଣି ରବିବାର ଷଣ୍ଢ ଆକ୍ରମଣ କାରଣରୁ ଏକାଧିକ ଲୋକ ଏବଂ ଗାଈ ଗୋରୁ ଆହତ ହୋଇଥିଲେ। 

ଶେଷରେ କଳିଙ୍ଗ ଯୁବ ସେନା ଟ୍ରଷ୍ଟର ସଦସ୍ୟମାନେ ତିନିଘଣ୍ଟାର ପରିଶ୍ରମ ପରେ ଷଣ୍ଢ କାବୁ କରିଥିଲେ। ହେଲେ ଧରାପଡ଼ିବାର କିଛି ସମୟରେ ପରେ ଷଣ୍ଢର ମୃତ୍ୟୁ ହୋଇଛି। କୁହାଯାଉଛି ରାବିଜରେ ଆକ୍ରାନ୍ତ ହୋଇଥିବାରୁ ଷଣ୍ଢ ପାଗଳ ହୋଇଯାଇଥିଲା ଓ ସେଥିରେ ତାର ମୃତ୍ୟୁ ହୋଇଛି। ଗାଁ ଲୋକେ ଷଣ୍ଢଟିର ଅନ୍ତିମ ସଂସ୍କାର କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.