ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ଘାତକ ବୋଲିଂ କରିଥିବା ତାରକା ଭାରତୀୟ ବୋଲର ଯଶପ୍ରୀତ ବୁମରା ଟେଷ୍ଟ କ୍ରିକେଟରେ ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସଦ୍ୟତମ ଟେଷ୍ଟ ମାନ୍ୟତା ଜାରି କରିଛି । ଏଥିରେ ବୁମରା ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ଓ ଅଷ୍ଟ୍ରେଲିଆର ହେଜେଲଉଡଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନକୁ ଉଠିଛନ୍ତି । ବ୍ୟାଟିଂ ମାନ୍ୟତାରେ ବାମହାତୀ ବ୍ୟାଟର ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ବମ୍ପର ଫାଇଦା ମିଳିଛି ।
ପର୍ଥ ଟେଷ୍ଟରେ ୧୬୧ ରନର ଶତକୀୟ ଇନିଂସ ଖେଳିଥିବା ଯଶସ୍ୱୀ ଜୟସ୍ୱାଲ ଦୁଇଟି ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି ।ଏହା ପୂର୍ବରୁ ସେ ଚତୁର୍ଥ ସ୍ଥାନରେ ଥିଲେ। ପ୍ରଥମ ଟେଷ୍ଟରେ ଶତକ ଅର୍ଜନ କରିଥିବା ତାରକା ବ୍ୟାଟର ବିରାଟ କୋହଲି ନଅଟି ସ୍ଥାନ ଉନ୍ନତି ଘଟାଇ ୧୩ତମ ସ୍ଥାନକୁ ଉଠିଛନ୍ତି। କେଏଲ ରାହୁଲଙ୍କୁ ମଧ୍ୟ ପର୍ଥ ଟେଷ୍ଟର ଅର୍ଦ୍ଧଶତକୀୟ ଇନିଂସର ଫାଇଦା ମିଳିଛି । ରାହୁଲ ୧୩ଟି ସ୍ଥାନ ଉନ୍ନତି ଘଟାଇ ୪୯ତମ ସ୍ଥାନରେ ପହଞ୍ଚିଛି ।
ବୋଲିଂରେ ବୁମରା ପୁଣି ଥରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବୁମରାଙ୍କ ରେଟିଂ ପଏଣ୍ଟ ୮୮୩ ଥିବା ବେଳେ କାଗିସେ ରାବଡାଙ୍କ ରେଟିଂ ପଏଣ୍ଟ ୮୭୨ । ତୃତୀୟରେ ଥିବା ଯୋଶ ହେଜେଲଉଡଙ୍କ ରେଟିଂ ପଏଣ୍ଟ ୮୬୦ ରହିଛି । ସେହିପରି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଖେଳି ନ ଥିବା ଭାରତର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ସ୍ଥାନ ଉନ୍ନତି ଘଟାଇ ଚତୁର୍ଥରେ ପହଞ୍ଚିଛନ୍ତି । ଜାଡେଜା ଗୋଟିଏ ସ୍ଥାନ ଅବନ୍ନତି ଘଟାଇ ସପ୍ତମରେ ପହଞ୍ଚିଛନ୍ତି । ପର୍ଥ ଟେଷ୍ଟରେ ୫ ୱିକେଟ୍ ହାସଲ କରିଥିବା ମହମ୍ମଦ ସିରାଜ ୨୫ତମ ସ୍ଥାନରେ ପହଞ୍ଚିଛନ୍ତି ।