ନୂଆଦିଲ୍ଲୀ ୨୧/୧୧: ସମୟ ପାଖେଇ ଆସୁଛି । ଆଉ ମାତ୍ର ଦିନକ ପରେ ଆରମ୍ଭ ହେବ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ । ଅପ୍ଟସ ଷ୍ଟାଡିୟମ୍ରେ ଉଭୟ ଦଳ ଅଭ୍ୟାସ କରୁଛନ୍ତି । ଏପଟେ କ୍ୟୁରେଟର ପିଚ୍ ପ୍ରସ୍ତୁତ କରିବାରେ ବ୍ୟସ୍ତ । ସେପଟେ ଭାରତ ଏକାଦଶ ଚୂଡ଼ାନ୍ତ କରିବା ପାଇଁ ଜୋରଦାର ପରୀକ୍ଷା ନିରୀକ୍ଷା ଚଳାଇଛି ।
ପ୍ରଥମ ଟେଷ୍ଟ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ୱାକା ଗ୍ରାଉଣ୍ଡର ପିଚ୍ ଭଳି ପେସ୍ ବୋଲରଙ୍କୁ ସହାୟତା କରିବ । ଏହି ପିଚ୍ରେ ବହଳିଆ ଘାସର ଆବରଣ ରହିବ ବୋଲି କ୍ୟୁରେଟର ସ୍ପଷ୍ଟ କରିଛନ୍ତି । ତେଣୁ ପେସ୍ ବୋଲରମାନେ ଦିନ ତମାମ ବଲ୍କୁ ସୁଇଂ କରାଇପାରିବେ । ତଥାପି ପାରମ୍ପରିକ ୱାକା ପିଚ୍ ଭଳି ଏଠାରେ ପିଚ୍ ଫାଟିବ ନାହିଁ । ତେଣୁ ବ୍ୟାଟରଙ୍କୁ ବିଶେଷ ସଂଘର୍ଷ କରିବାକୁ ପଡ଼ିବ ନାହିଁ । କ୍ରିଜ୍ରେ ଥରେ ଜମିଗଲେ ଓ ବଲର ଗତି ଓ ବାଉନ୍ସ ସହ ଖାପ ଖୁଆଇ ନେଲେ ରନ୍ ସଂଗ୍ରହ ସହଜ ହୋଇଯିବ ।
ତେବେ ମ୍ୟାଚ୍ ପୂର୍ବରୁ ବଢିଛି ଟିମ୍ ଇଣ୍ଡିଆର ଟେନ୍ସନ୍ । ଆହତ ହେବାରେ ଲାଗିଛନ୍ତି ଗୋଟିଏ ପରେ ଗୋଟିେ ଖେଳାଳି । ରୋହିତ ବଦଳରେ କ୍ୟାପଟେନ୍ ଥିବା ଜଶପ୍ରୀତ୍ ବୁମରା ଆହତ ହୋଇଛନ୍ତି । ନେଟ୍ସ ପ୍ରାକ୍ଟିସ୍ ବେଳେ ତାଙ୍କୁ ଆଘାତ ଲାଗିଥିବା ଜଣାପଡିଛି । ଯଦିଓ ପରେ ସେ ଖେଳିବାକୁ ଆସିଥିଲେ । ସେହିଭଳି ଭାରତୀୟ ଦଳର ରିଜର୍ଭ ଖେଳାଳି ଭାବେ ଅଷ୍ଟ୍ରେଲିଆ ଯାତ୍ରା କରିଥିବା ବାମ ହାତି ପେସ୍ ବୋଲର ଖଲିଲ ଅହମ୍ମଦ ଆହତ ହୋଇଛନ୍ତି ।
ଫଳରେ ତାଙ୍କ ସ୍ଥାନରେ ଉତ୍ତର ପ୍ରଦେଶର ବାମ ହାତି ପେସ୍ ବୋଲର ୟଶ ଦୟାଲଙ୍କୁ ଡାକରା ମିଳିଛି । ସେ ଭାରତୀୟ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ । ମାତ୍ର ସେଠାରେ ତାଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ଏପଟେ ଖଲିଲ ଆହତ ହେବା ଫଳରେ ଦୟାଲଙ୍କୁ ଅଷ୍ଟ୍ରେଲିଆ ଯିବାକୁ ନିର୍ଦ୍ଦେଶ ମିଳିଥିଲା । ସେ ସିଧା ଜୋହାନ୍ସବର୍ଗରୁ ପର୍ଥ ଅଭିମୁଖେ ଯାତ୍ରା କରିଛନ୍ତି ।