ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ଚୀନକୁ ହରାଇ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଚାମ୍ପିଅନ

Published By : Prameya-News7 Bureau | November 20, 2024 IST

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ହକି ଦଳ। ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଫାଇନାଲ୍‌ରେ ଚୀନକୁ ହରାଇ ଚାମ୍ପିଅନ ହୋଇଛି ଭାରତୀୟ ମହିଳା ଦଳ। ଏସୀୟ ଚାମ୍ପିଅନଶିପ ହକି ଇତିହାସରେ ଭାରତୀୟ ଦଳ ତୃତୀୟ ଥର ଟାଇଟଲ୍ ଜିତିବାରେ ସଫଳ ହୋଇଛି। ମ୍ୟାଚ୍‌ରେ ଏକ ମାତ୍ର ଗୋଲ୍ ଭାରତ ପକ୍ଷରୁ ଦୀପିକା(୩୧ତମ ମିନିଟ) ଦେଇଥିଲେ। ବିହାର ରାଜଗୀର ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲାରେ ହଜାର ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା।

ଭାରତ ଓ ଚୀନ ମଧ୍ୟରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ର ପ୍ରଥମ ଦୁଇଟି କ୍ଵାର୍ଟର ଗୋଲଶୂନ୍ୟ ରହିଥିଲା। ଉଭୟ ଦଳ ପରସ୍ପରକୁ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ। ମାତ୍ର ତୃତୀୟ କ୍ଵାର୍ଟର ଆରମ୍ଭ ହେବାର ପ୍ରଥମ ମିନିଟ୍‌ରେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଦୀପିକା ଗୋଲ୍‌ରେ ପରିଣତ କରିଥିଲେ। ତୃତୀୟ କ୍ଵାର୍ଟର ସୁଦ୍ଧା ଭାରତ ମ୍ୟାଚ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଭାରତୀୟ ମହିଳା ଦଳ ରକ୍ଷଣଭାଗ ଦମଦାର ପ୍ରଦର୍ଶନ କରି ଚୀନକୁ ଗୋଲ୍ ଦେବାକୁ ସୁଯୋଗ ଦେଇ ନ ଥିଲେ। ଚୀନ ଶେଷ ମିନିଟ୍ ପର୍ଯ୍ୟନ୍ତ ଗୋଲ୍ ଦେବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଏହିପରି ମହିଳା ଦଳ ଶେଷ ପର୍ଯ୍ୟନ୍ତ ଅଗ୍ରଣୀକୁ ବଜାୟ ରଖି ଫାଇନାଲ୍‌କୁ ୧-୦ରେ ଗୋଲ୍ ଜିତି ନେଇଛି। ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଦଳର ଅଧିନାୟକ ହୋଇଥିବା ସଲୀମା ଟେଟେ ବଡ଼ ସଫଳତା ମିଳିଛି । ପ୍ରଥମ ଟୁର୍ଣ୍ଣାମେଣ୍ଟରେ ସେ ଟିମ୍‌କୁ ଚାମ୍ପୟନ କରାଇଛନ୍ତି । 

ସୂଚନାଯୋଗ୍ୟ, ଭାରତ ଏହା ପୂର୍ବରୁ ଦୁଇ ଥର ଏସୀୟ ଚାମ୍ପିଅନଶିପ୍ ଟ୍ରଫି ଜିତି ସାରିଛି। ୨୦୧୬ରେ ଦଳ ଏହି ଚୀନକୁ ରୋମାଞ୍ଚକର ମୁକାବିଲାରେ ୨-୧ରେ ହରାଇଥିଲା। ଏହା ପରେ ୨୦୨୩ରେ ଭାରତୀୟ ଦଳ ଜାପାନକୁ ୪-୦ରେ  ହରାଇ ଦ୍ଵିତୀୟ ଥର ଚାମ୍ପିଅନ ହୋଇଥିଲା। ଅନ୍ୟପଟେ ଚୀନ ଇତିହାସରେ ତୃତୀୟ ଥର  ଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ଏଥର ବି ଦଳକୁ ନିରାଶ ହେବାକୁ ପଡ଼ିଛି।

ଭାରତୀୟ ମହିଳା ହକି ଦଳର ଐତିହାସକି ବିଜୟ ପରେ ପ୍ରଶଂସାର ସୁଅ ଛୁଟିଛି । ୨୦୩୬ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ହକିର ପ୍ରାୟୋଜକ ଥିବା ଓଡ଼ିଶା ପାଇଁ ଏହା ଏକ ଗୌରବର ମୂହୂର୍ତ୍ତୂ । ଏ ସଫଳତା ଲାଗି ମହିଳା ହକି ଟିମ୩କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।  ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ରେ ସେମାନଙ୍କର ଅବିଶ୍ୱସନୀୟ ବିଜୟ ପାଇଁ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ | ଏହି ବିଜୟ କ୍ରୀଡ଼ାରେ ଭାରତୀୟ ମହିଳାମାନଙ୍କର ଶକ୍ତି ଏବଂ ସ୍ଥିରତାର ପ୍ରକୃତ ପ୍ରମାଣ | ଆପଣ ସମସ୍ତଙ୍କୁ ସଫଳତା ଏବଂ ଭବିଷ୍ୟତରେ ଆହୁରି ଅନେକ ବିଜୟ କାମନା କରୁଛି | ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭାରତୀୟ ମହିଳା ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.