ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବୁଧବାରଠାରୁ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ । ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ କୋଲକାତାର ଇଡନ ଗାର୍ଡନ୍ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡ ମଙ୍ଗଳବାର ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ନିଜ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଇଂଲଣ୍ଡର ଷ୍ଟାର୍ ବ୍ୟାଟର ହ୍ୟାରି ବ୍ରୁକଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଟିମର ଉପଅଧିନାୟକ କରାଯାଇଛି । ୨୫ ବର୍ଷୀୟ ବ୍ରୁକ୍ ୨୦୨୨ରେ ଇଣ୍ଟରନ୍ୟାସନାଲ୍ ଡେବ୍ୟୁ କରିବା ପରଠୁ ବ୍ୟାଟିଂ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
କୋଲକାତା ଟି-୨୦ ମ୍ୟାଚ୍ରେ ଇଂଲଣ୍ଡ ପାଇଁ ବେନ୍ ଡକେଟ୍ ଏବଂ ୱିକେଟ୍ କିପରି ଫିଲ୍ ସାଲ୍ଟ ଓପନିଂ କରିବେ । ତୃତୀୟ ସ୍ଥାନରେ ଇଂଲଣ୍ଡର ଅଧିନାୟକ ଜୋଶ ବଟଲର୍ ଆସିବେ । ଇଂଲଣ୍ଡ ଟିମ୍ର ମୁଖ୍ୟ କୋଚ୍ ବ୍ରାଡନ ମ୍ୟାକୁଲମ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ ଅନୁଭବୀ ବ୍ୟାଟର ବଟଲର୍ କେବଳ ଜଣେ ସ୍ପେଶାଲିଷ୍ଟ ବ୍ୟାଟର ରୂପେ ଖେଳିବେ ଏବଂ ୱିକେଟ୍ କିପର ଭୂମିକାରେ ନଜର ଆସିବେ ନାହିଁ । ଉପଅଧିନାୟକ ହ୍ୟାରି ବ୍ରୁକ୍ ଚତୁର୍ଥ ସ୍ଥାନରେ ବ୍ୟାଟିଂ ପାଇଁ ଓହ୍ଲାଇବେ । ତାଙ୍କ ପରେ ଅଲ୍ରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ୍ ଏବଂ ଜ୍ୟାକବ ବେଥେଲ ଆସିବେ ।
ଅନ୍ୟପଟେ ଦ୍ରୁତ ବୋଲର ମାର୍କ ଉଡ୍ଙ୍କ ଟିମକୁ କମବ୍ୟାକ୍ ହୋଇଛି । ଟି-୨୦ ଇଣ୍ଟରନ୍ୟାସନାଲର ଶେଷ ମୁକାବିଲା ଗତ ବର୍ଷ ଜୁନରେ ଟି-୨୦ ବିଶ୍ୱକପରେ ଖେଳିଥିଲେ । ୩୫ ବର୍ଷୀୟ ପେସର ଆହତ କାରଣରୁ ଟିମରୁ ଅନେକ ମାସ ଧରି ବାହାରେ ରହିଥିଲେ ।
ଭାରତ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ବେନ୍ ଡକେଟ୍, ଫିଲ୍ ସାଲ୍ଟ, ଜୋଶ ବଟଲର୍ (ଅଧିନାୟକ), ହ୍ୟାରି ବ୍ରୁକ୍ (ଉପଅଧିନାୟକ), ଲିୟାମ ୱିଲିଙ୍ଗଷ୍ଟୋନ୍, ଜ୍ୟାକବ ବେଥେଲ, ଜେମି ଓଭରଟନ୍, ଗସ୍ ଏଟଙ୍କିସନ, ଜୋଫ୍ରା ଆର୍ଚର, ଆଦିଲ ରସିଦ, ମାର୍କ ଉଡ୍ ।