ରାଉରକେଲା,୨୧/୦୧: ହକି ଇଣ୍ଡିଆ ଲିଗରେ ସୁରମା ହକି କ୍ଲବ୍ର ଡବଲ ବିଜୟ । ପୁରୁଷ ଦଳ ୨-୧ ଗୋଲରେ ବେଙ୍ଗଲ ଟାଇଗର୍ସକୁ ପରାସ୍ତ କରିଥିବା ବେଳେ ଏବଂ ମହିଳା ଦଳ ୫-୧ରେ ଦିଲ୍ଲୀ ଏସ୍ଜି ପିପର୍ସକୁ ମାତ୍ ଦେଇଛି । ଏହି ବିଜୟ ସହିତ ମହିଳା ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ସେପଟେ ପୁରୁଷ ଦଳ ସିଜନରେ ୭ଟି ମ୍ୟାଚ୍ ଖେଳି ଏଯାଏଁ ୧୧ ପଏଣ୍ଟ ସହ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ।
ସୋମବାର ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ପୁରୁଷରେ ସୁରମା ଓ ବେଙ୍ଗଲ୍ ଟାଇଗର୍ସ ମଧ୍ୟରେ ଖେଳ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ହୋଇଥିଲା । ପ୍ରଥମ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ସୁରମା ୨ଟି ଗୋଲ୍ ଦେଇ ଅଗ୍ରଣୀ ଲାଭ କରିଥିଲା । ୨୧ମିନିଟରେ ପ୍ରଭଜୋତ୍ ସିଂ ଏବଂ ୨୮ ମିନିଟରେ ମନିନ୍ଦର ସିଂ ଗୋଲ୍ ସ୍କୋର୍ କରିଥିଲେ । ତୃତୀୟ କ୍ୱାର୍ଟରରେ ଟାଇଗର୍ସ ଗୋଲ୍ ଖାତା ଖୋଲିଥିଲା । ୩୯ ମିନିଟରେ ଯୁଗରାଜ ସିଂ ଗୋଲ୍ ଦେଇ ସ୍ଥିତି ୧-୨ କରିଥିଲେ । ଅନ୍ତିମ କ୍ୱାର୍ଟର ଖେଳ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ଶେଷରେ ଗୋଟିଏ ଗୋଲ୍ରେ ଅଗ୍ରଣୀ ସହ ସୁରମା ମ୍ୟାଚ୍ ଜିତି ନେଇଥିଲା ।
ସେପଟେ ଦିଲ୍ଲୀ ଏସ୍ଜି ପିପର୍ସ ବିପକ୍ଷରେ ମହିଳା ସୁରମା ହକି କ୍ଲବ୍ ବଡ଼ ବିଜୟ ହାସଲ କରିଛି । ଦଳ ଖେଳକୁ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖି ୫-୧ ଗୋଲରେ ବିଜୟୀ ହୋଇଛି । ପ୍ରଥମ କ୍ୱାର୍ଟରରେ ସୁରମା ୩ଟି ଗୋଲ୍ ଦେଇଥିଲା । ୬, ୯ ଓ ୧୦ ମିନିଟରେ ଗୋଲ୍ ହୋଇଥିଲା । ଦ୍ୱିତୀୟ କ୍ୱାର୍ଟର ଖେଳ ଗୋଲ୍ ଶୂନ୍ୟ ରହିଥିଲା । ପୁଣି ୩୬ ମିନିଟରେ ସୁରମା ଆଉ ଏକ ଗୋଲ୍ ଦେଇ ୪-୦ରେ ଅଗ୍ରଣୀ ହୋଇଥିଲା । ୩୮ ମିନିଟରେ ଦିଲ୍ଲୀ ପ୍ରଥମ ଗୋଲ୍ ସ୍କୋର କରିଥିଲା । ପରବର୍ତ୍ତୀ ସମୟ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତଥାପି ଜେଏସଡବ୍ଲୁ ସୁରମା ଶେଷ ମୁହୂର୍ତ୍ତରେ ପଞ୍ଚମ ଗୋଲ୍ ଦେଇ ୫-୧ରେ ମ୍ୟାଚ୍ ଜିତି ନେଇଛି ।