୧୦ ହଜାର ଟଙ୍କାରେ ମିଳିବ କ୍ୟାନ୍ସର ଟିକା ! ରାଜସ୍ଥାନରେ ଦେଶୀ ଉପାୟରେ କ୍ୟାନ୍‌ସର ଟିକା ଚାଲିଛି ପ୍ରସ୍ତୁତି

Published By : Prameya-News7 Bureau | February 14, 2025 IST

ଜୟପୁର, ୧୩ା୨(ଏଜେନ୍ସି): ରାଜସ୍ଥାନରେ ପ୍ରଥମ  ଥର ପାଇଁ ଦେଶୀ ଉପାୟରେ କ୍ୟାନ୍‌ସର ଟିକା ପ୍ରସ୍ତୁତ  କରାଯାଉଛି । ଦୀର୍ଘ ୨୭ ବର୍ଷର ଗବେଷଣା ପରେ ଏହା  ସଫଳ ହେବାକୁ ଯାଉଛି । ଯଦି ଟିକା ପ୍ରସ୍ତୁତି ସମ୍ପୂର୍ଣ୍ଣ ସଫଳ  ହୁଏ, ତେବେ ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ । ଜୟପୁରସ୍ଥିତ ମହାତ୍ମା ଗାନ୍ଧୀ ମେଡିକାଲ  କଲେଜକୁ ‘ଡେଣ୍ଡ୍ରିଟିକ୍‌ ସେଲ୍‌’ ଟିକା ପ୍ରସ୍ତୁତି ପାଇଁ  ଡିସିଜିଆଇର ଅନୁମତି ମିଳିଛି । ଏହି ଟିକା ଦ୍ୱାରା ୫  ପ୍ରକାର କ୍ୟାନ୍‌ସରର ଚିକିତ୍ସା ସମ୍ଭବ ହେବ । 

ଏହା  ଦେଶର ପ୍ରଥମ ସ୍ୱଦେଶୀ କ୍ୟାନ୍‌ସର ଟିକା ବୋଲି  ଦାବି କରାଯାଉଛି । ବଡ଼ କଥା ହେଉଛି ଆମେରିକାରେ  କ୍ୟାନ୍‌ସର ଟିକାର ଦାମ ୨୫ରୁ ୫୦ ଲକ୍ଷ ଟଙ୍କା ରହିଥିବା  ବେଳେ ଭାରତରେ କ୍ୟାନ୍‌ସରର ପ୍ରକାର ଆଧାରରେ ୧୦  ହଜାରରୁ ୫୦ ହଜାର ଟଙ୍କା ଖର୍ଚ୍ଚରେ ଟିକା ପ୍ରସ୍ତୁତ ହେବ । ଏହି ଟିକା ଉପରେ ଗବେଷଣା କରୁଥିବା ମହାତ୍ମା  ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍ସେସ ଆଣ୍ଡ  ଟେକ୍ନୋଲୋଜିର ସେଣ୍ଟର ଫର୍‌ କ୍ୟାନ୍‌ସର ଇମ୍ୟୁନୋଥେରାପି  ନିର୍ଦ୍ଦେଶକ ଡା. ଅନିଲ ସୁରୀ କହିଛନ୍ତି, ଏହି ‘ଡେଣ୍ଡ୍ରିଟିକ  ସେଲ୍‌ ଭାକ୍ସିନ୍‌’ ଏକ ଇମ୍ୟୁନୋଥେରାପି  ଆଧାରିତ ଟିକା । 

ଏହା ଶରୀରର  ରୋଗ ପ୍ରତିରୋଧକ କ୍ଷମତାକୁ  କ୍ୟାନ୍‌ସର କୋଷିକାକୁ ଚିହ୍ନିବା ଏବଂ ନଷ୍ଟ କରିବା ଲାଗି ପ୍ରଭାବୀ କରିଥାଏ । ଏହି ଭଳିର ଟିକା ଦ୍ୱାରା ପିତ୍ତ କୋଷ, ମୁଣ୍ଡ ଓ ଗଳା ଏବଂ ଗର୍ଭାଶୟ  କ୍ୟାନ୍‌ସରର ଚିକିତ୍ସା କରାଯାଇ ପାରିବ । ଏଥିରେ ପ୍ରଭାବୀ ଫଳ ମିଳିବା ଆଶା କରାଯାଉଛି । ମହାତ୍ମା ଗାନ୍ଧୀ ୟୁନିଭର୍ସିଟି ଅଫ୍‌ ମେଡିକାଲ ସାଇନ୍ସେସରେ  ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଥିବା ଡବ୍ଲ୍ୟୁସିଟିସିଆର୍‌ଆଇ-୨୦୨୫’  ସମ୍ମିଳନୀରେ ଏହି ଟିକା ବାବଦରେ ସୂଚନା ଦିଆଯାଇଛି । 
ସମ୍ମିଳନୀରେ  ଦେଶବିଦେଶର କ୍ୟାନ୍‌ସର ସ୍ପେସାଲିଷ୍ଟ ଯୋଗଦେଇଛନ୍ତି । ଟିକା କିଭଳି କାମ କରେ, ସେ ବାବଦରେ ଡା. ଅନିଲ ସୁରୀ କହିଛନ୍ତି,  ଏଥିରେ ରୋଗୀର ଶରୀରରୁ ଡେଣ୍ଡ୍ରିଟିକ କୋଷିକାକୁ ବାହାର କରାଯାଏ ।  ଡେଣ୍ଡ୍ରିଟିକ ସେଲ୍‌ ହେଉଛି ପ୍ରତିରୋଧକ ବ୍ୟବସ୍ଥାରେ ଥିବା ଶ୍ୱେତ ରକ୍ତ  କଣିକା (ହ୍ୱାଇଟ ବ୍ଲଡ୍‌ ସେଲ୍‌)ର ଏକ ପ୍ରକାର । ଏହା ରୋଗ ପ୍ରତିରୋଧକ  ବ୍ୟବସ୍ଥାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ । ଟିକା ବନାଇବା ଲାଗି ରୋଗୀର ରକ୍ତରୁ ଡେଣ୍ଡ୍ରିଟିକ ସେଲ୍‌ ବାହାର  କରାଯାଏ । 

ପ୍ରଥମ ପର୍ଯ୍ୟାୟରେ ଏହି କୋଷିକାଗୁଡ଼ିକୁ ଲ୍ୟାବରେ କ୍ୟାନ୍‌ସର  କୋଷିକା ସହ ସମ୍ପର୍କ କରାଯାଇ ତାହାକୁ କ୍ୟାନ୍‌ସର ଚିହ୍ନିବା ଲାଗି ଶିଖାଯାଏ । ଏଗୁଡ଼ିକୁ ଟ୍ୟୁମର ଆଣ୍ଟିଜେନ ସହ ତାଲିମ ପ୍ରଦାନ କରାଯାଏ, ଯଦ୍ଦ୍ୱାରା ଏହା  ଶରୀର ମଧ୍ୟକୁ ଯାଇ କ୍ୟାନ୍‌ସର କୋଷିକାକୁ ଚିହ୍ନଟ କରିବାକୁ ସମର୍ଥ  ହୁଏ । ଏହାପରେ ତାଲିମ ଦିଆଯାଇଥିବା ଡେଣ୍ଡ୍ରିଟିକ ସେଲ୍‌କୁ ଶରୀରରେ ପୁନଃ ନିଃକ୍ଷେପ କରାଯାଏ । ଏହା ଟି-ସେଲ୍‌ (ରୋଗ ପ୍ରତିରୋଧକ  କୋଷ)କୁ ସକ୍ରିୟ କରିଦେଇଥାଏ, ଯାହା ସିଧାସଳଖ ଭାବେ କ୍ୟାନ୍‌ସର  କୋଷିକାଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିଦିଏ । 

ଡା. ସୁରୀ କହିଛନ୍ତି, ୧୯୯୮ରେ ଏହି କ୍ୟାନ୍‌ସର ଟିକାର ସନ୍ଧାନ  ହୋଇଥିଲା ଏବଂ ବିଗତ ୨୭ ବର୍ଷ ହେଲା ଏହା ଉପରେ ଅଧିକ ଗବେଷଣା  ଚାଲିଛି । ସମସ୍ତ ଗବେଷଣା ପ୍ୟାଟେଣ୍ଟ ଆମ ପାଖରେ ରହିଛି । ୨୦୨୭ ସୁଦ୍ଧା  ଏହି ଟିକା ବଜାରକୁ ଆସିବା ସମ୍ଭାବନା ରହିଛି । ବର୍ତ୍ତମାନ ଏହା ଦ୍ୱିତୀୟ  ପର୍ଯ୍ୟାୟରେ ଅଛି । ପ୍ରଥମ ପର୍ଯ୍ୟାୟରେ ସୁରକ୍ଷା ମାନକ ଯାଞ୍ଚ ହୋଇଥିଲା । 

ଏହାର ପ୍ରଭାବ କିଭଳି ତାହା ଉପରେ ଗବେଷଣା ଚାଲିଛି । ଯେଉଁମାନଙ୍କର  କେମୋଥେରାପି, ରେଡିଓଗ୍ରାଫି, ଟୁ-ଲାଇନ ଅଫ୍‌ ଟ୍ରିଟମେଣ୍ଟ କୋର୍ସ ପୂରା  ହୋଇସାରିଛି ଏବଂ କୌଣସି ଆଶା ନାହିଁ, ସେମାନଙ୍କ କ୍ଷେତ୍ରରେ ଏହି ଟିକା  ପ୍ରଭାବୀ ହେବ । ଅର୍ଥାତ ଯେଉଁମାନଙ୍କ କ୍ୟାନ୍‌ସରର ପାରମ୍ପରିକ ଚିକିତ୍ସା  ଶେଷ ହୋଇଛି, ସେମାନଙ୍କ ପାଇଁ ଏହି ଟିକା ପ୍ରସ୍ତୁତ ହେଉଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.