ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଫଶିଲେ କେରଳ CMଙ୍କ ମୁଖ୍ୟ ସଚିବ, CBI ରୁଜୁ କଲା ଏତଲା

Published By : Prameya-News7 Bureau | April 26, 2025 IST

କୋଚ୍ଚି ୨୬।୪: ସିବିଆଇ କେରଳ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଶାସନସଚିବ କେ.ଏମ.ଆବ୍ରାହାମଙ୍କ ବିରୋଧରେ କଥିତ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ରୁଜୁ କରିଛି। ଏ ନେଇ ଖୁବଶୀଘ୍ର ତିରୁଅବନ୍ତୀପୁରମ ସିବିଆଇ କୋର୍ଟରେ ଏତଲା ରୁଜୁ ହେବ। କାର୍ଯ୍ୟକର୍ତ୍ତା ଜୋମନ  ପୁଥେନପୁରକଲଙ୍କ ଦ୍ୱାରା ରୁଜୁ ଆବେଦନ ଆଧାରରେ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ମାମଲାର ତଦନ୍ତ ନିଜ ହାତକୁ ନେଇଛି। ଏତଲାରେ ଦୁର୍ନୀତି ନିବାରଣ ଅଧିନିୟମର ବିଭିନ୍ନ ଧାରାରେ ଆୟରୁ ଅଧିକ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ରହିଛି। 

କୋଚ୍ଚିରେ ସିବିଆଇର ଉପ ଅଧିକ୍ଷକ ସ୍ତରର ଅଧିକାରୀଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ତଦନ୍ତରେ ଆବ୍ରାହାମଙ୍କ ବୟାନ ରେକର୍ଡ କରାଯିବ। ଜୋମନ ହାଇକୋର୍ଟରେ ଅଭିଯୋଗ କରିଥିଲେ ଯେ ମୁମ୍ବାଇରେ ଆବ୍ରାହାମଙ୍କ ୩ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଥିବା ବେଳେ ତିରୁଅନନ୍ତପୁରମର ଥାଇକୋଡରେ ଆଉ ଏକ ଫ୍ଲାଟ୍ ରହିଛି, ଯାହାର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ହେବ। ଏହା ଛଡା କୋଲ୍ଲମରେ ତାଙ୍କର ଏକ ସପିଂ କମ୍ପ୍ଲେକ୍ସ ରହିଛି ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ। 

ଜୋମନ ଦାବି କରିଛନ୍ତି ଯେ କେବଳ ମୁମ୍ବାଇ ପ୍ରପର୍ଟିର ଇଏମଆଇ ମାସିକ ୮୪ ହଜାର ଟଙ୍କା ଯେତେବେଳେ ଆବ୍ରାହାମଙ୍କ ମାସିକ ଆୟ ମାତ୍ର ୮୦ ହଜାର ଟଙ୍କା। ଏହା ଛଡା ଜୋମନ ଅଭିଯୋଗ କରିଛନ୍ତି ଯେ ଆବ୍ରାହାମ ଥାଇକୋଡ ଆପାର୍ଟମେଣ୍ଟ ଓ କୋଲ୍ଲମ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଋଣର ସ୍ରୋତ ସମ୍ପର୍କରେ ଉଲ୍ଲେଖ କରି ନାହାନ୍ତି। ଏହା ପୂର୍ବରୁ ସତର୍କତା ଓ ଦୁର୍ନୀତି ନିବାରଣ ବ୍ୟୁରୋ (ଭିଏସିବି) ଆବ୍ରାହାମଙ୍କୁ କ୍ଲିନ୍ ଚିଟ୍ ଦେଇ କହିଥିଲେ ଯେ ତିରୁଅନନ୍ତପୁରମ ଆପାର୍ଟମେଣ୍ଟର ମୂଲ୍ୟ କେବଳ ୧୩.୩୬ଲକ୍ଷ ଟଙ୍କା ଓ ମୁମ୍ବାଇ ଆପାର୍ଟମେଣ୍ଟର ମୂଲ୍ୟ ୯୯.୭୫ଲକ୍ଷ ଟଙ୍କା। 

ଭିଏସିବି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ କୋଲ୍ଲମ କମ୍ପ୍ଲେକ୍ସ ଆବ୍ରାହାମଙ୍କୁ ତାଙ୍କ ଭାଇଙ୍କ ସହ ଉତ୍ତରାଧିକାରରେ ମିଳିଥିଲା। ଏହା କମ୍ପ୍ଲେକ୍ସର ନିର୍ମାଣରେ ସେମାନେ ବ୍ୟକ୍ତିଗତ ଧନ ଉପଯୋଗ କରିନଥିଲେ। 

ତେବେ କେରଳ ଉଚ୍ଚନ୍ୟାୟାଳୟ ଭିଏସିବିଙ୍କ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଯାଞ୍ଚ କରି ଆବ୍ରାହାମଙ୍କ ନିକଟରେ ବହୁମୂଲ୍ୟବାନ ଚଳ ଓ ଅଚଳ ସମ୍ପତ୍ତି ଥିବାର ଅନୁମାନ କରିଥିଲେ। ଯାହା ତାଙ୍କଦ୍ୱାରା ଜ୍ଞାତ ଆୟଠାରୁ ଅନେକ ଅଧିକ। ଆବ୍ରାହାମଙ୍କ ହାଇପ୍ରୋଫାଇଲ ସ୍ଥିତିକୁ ଦେଖି ନ୍ୟାୟାଳୟ ଭିଏସିବିଙ୍କ ଯାଞ୍ଚ ରିପୋର୍ଟକୁ ବିଶ୍ୱାସକୁ ନେଇ ନାହାନ୍ତି ଓ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.