ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶୋଇପଡ଼ିଥିବା କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଛି। ଏଥିପାଇଁ ଜାମ୍ମୁ-କାଶ୍ମୀରରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀଙ୍କ ଘର ବୋମାରେ ବିସ୍ଫୋରଣ କରି ଉଡ଼ାଇ ଦିଆଯାଉଛି। ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ଗତ ୪୮ ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଜମ୍ମୁ ଏବଂ କାଶ୍ମୀରରେ ଅନେକ ଆତଙ୍କବାଦୀଙ୍କ ଘର ଭାଙ୍ଗି ଉଡ଼ାଇ ଦେଇଛି। ଏବେ ପୁଣି ପାକିସ୍ତାନରେ କାର୍ଯ୍ୟରତ କୁପୱାଡ଼ାରେ ଥିବା ଲସ୍କର-ଏ-ତୈବା ଆତଙ୍କବାଦୀ ଫାରୁକ ଅହମ୍ମଦଙ୍କ ଘର ଉଡ଼ାଇ ଦିଆଯାଇଛି। ପହଲଗାମ ଆକ୍ରମଣ ପରେ ଏହା ଷଷ୍ଠ କାର୍ଯ୍ୟାନୁଷ୍ଠାନ। ଫାରୁକଙ୍କ ଘର ସହିତ, ଅନ୍ୟ ଆତଙ୍କବାଦୀଙ୍କ ସହ ଜଡିତ ସମ୍ପତ୍ତିକୁ ମଧ୍ୟ ଟାର୍ଗେଟ କରାଯାଇଛି।
ଏହା ପୂର୍ବରୁ ଅନନ୍ତନାଗ ଜିଲ୍ଲାର ଥୋକରପୁରାରୁ ଆଦିଲ ଅହମ୍ମଦ ଥୋକର ଘର, ପୁଲୱାମାର ମୁରାନରୁ ଅହସାନ ଉଲ ହକ ଶେଖ, ଟ୍ରାଲରୁ ଆସିଫ ଅହମ୍ମଦ ଶେଖ, ଶୋପିଆଁର ଚୋଟିପୋରାରୁ ସହିଦ ଅହମ୍ମଦ କୁଟ୍ଟେ ଏବଂ କୁଲଗାମର ମାଥାଲହମାରୁ ଜାହିଦ ଅହମ୍ମଦ ଗାନିର ଉଡ଼ାଇ ଦିଆଯାଇଛି।
ପଢନ୍ତୁ- ପୂର୍ବତନ ପାକ୍ ହାଇକମିଶନ ଅବଦୁଲ ବାସିତ କରିଦେଲେ ଯୁଦ୍ଧର ଭବିଷ୍ୟତବାଣୀ, ଭୟରେ ଥରହର ପାକିସ୍ତାନ
ଶୁକ୍ରବାର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ଦୁଇ ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଥିଲା। ବିଜବେହାରାରେ ଲସ୍କର ଆତଙ୍କବାଦୀ ଆଦିଲ ହୁସେନ ଠୋକରର ବାସଭବନକୁ ଆଇଇଡି ଲଗାଇ ଉଡ଼ାଇ ଦିଆଯାଇଥିଲା। ସେହିପରି ତ୍ରାଲରେ ଆସିଫ ଶେଖର ଘର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଥିଲା।
ଅଧିକାରୀଙ୍କ ଅନୁଯାୟୀ, ଆଦିଲ ଠୋକର ପହଲଗାମ ଘଟଣାରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି। ଠୋକର ୨୦୧୮ ମସିହାରେ ପଞ୍ଜାବର ଅଟାରୀ-ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିଥିଲା। ଯେଉଁଠାରେ ସେ ଆତଙ୍କବାଦୀ ଶିବିରରେ ତାଲିମ ନେଇଥିଲେ। ପରେ ସେ ଗତ ବର୍ଷ ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିଥିଲା।
ଅନ୍ୟପଟେ ଅନନ୍ତନାଗ ପୋଲିସ ଠୋକର ପହଲଗାମ ଆକ୍ରମଣ ପାଇଁ ଦାୟୀ ଦୁଇ ପାକିସ୍ତାନୀ ନାଗରିକ, ଅଲି ଭାଇ ଏବଂ ହାସିମ ମୁସା ବିଷୟରେ ସୂଚନା ଦେବା ପାଇଁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ପୁରସ୍କାର ସହିତ, ସୁରକ୍ଷା ବାହିନୀ ସେମାନଙ୍କର ସନ୍ଧାନକୁ ତୀବ୍ର କରିବା ସହିତ ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ୍ ଜାରି କରିଛି।
ସୂଚନା ଥାଉକି ଏପ୍ରିଲ ୨୨ ତାରିଖରେ ପହଲଗାମ ବାଇସରଣ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଲୋକଙ୍କର ଜୀବନ ଯାଇଥିଲେ। ଯେଉଁଥିରେ ସର୍ବାଧିକ ପର୍ଯ୍ୟଟକ ରହିଥିଲେ। ଏହି ଘଟଣାରେ ପରେ ଦେଶର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଘଟଣା ପରେ ଭାରତ ପାକିସ୍ତାନକୁ ଦାୟୀ କରି ପଡୋଶୀ ଆତଙ୍କବାଦୀର ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସବୁ ପ୍ରକାର ସମ୍ପର୍କ ଛିନ୍ନ କରାଯାଇଛି।