ଦୁଇ ଦିନ ଭିତରେ କିଛି ବଡ଼ ଘଟଣା ଘଟିପାରେ ! ବିଏସଏଫର ଆଦେଶ ପରେ ବର୍ଡର ନିକଟରୁ ଫସଲ ଅମଳ ଆରମ୍ଭ

Published By : Prameya-News7 Bureau | April 26, 2025 IST

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଜମ୍ମୁ-କାଶ୍ମୀରର ଅନ୍ତରାଷ୍ଟ୍ରୀୟ ସୀମା ଓ ନିୟନ୍ତ୍ରଣ ରେଖାକୁ ଲାଗିକରିଥିବା ଗାଁ ଗୁଡ଼ିକରେ ଲୋକଙ୍କୁ ସତର୍କ କରାଯାଇଛି । ବିଏସଏଫ ଆଦେଶରେ ଗ୍ରାମବାସୀମାନେ ନିଜ ନିଜର ବଙ୍କରକୁ ସଫା କରିବା ସହିତ ଜମିରୁ ଫସଲକୁ ଅମଳ କରିବାରେ ଲାଗିପଡ଼ିଛନ୍ତି । 

ବଙ୍କର ସଫା ଆରମ୍ଭ:

ଆର.ଏସ ପୋରା ସେକ୍ଟରରେ ତ୍ରେଓ୍ବା ଗାଁର ପୂର୍ବତନ ସରପଞ୍ଚ ବଲବୀର କୌର କହିଛନ୍ତି, ବର୍ତ୍ତମାନ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁଭଳି ଭାବେ ଉତ୍ତେଜନା ବଢ଼ୁଛି, କେହି ଜାଣିନାହାନ୍ତି ଆଗକୁ କ’ଣ ହେବ । ତେଣୁ ଆମେ ଆଣ୍ଡର ଗ୍ରାଉଣ୍ଡ ବଙ୍କରକୁ ସଫା କରି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛୁ । ଏଲଓସିର ସେପଟରୁ ସିଜ୍ ଫାୟାର ହେଲେ ବଙ୍କରରେ ରହି ଜୀବନ ବଞ୍ଚାଇ ଦେବୁ । ଏହାଛଡ଼ା ସେ କହିଛନ୍ତି, କୌଣସି ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ସେମାନେ ପ୍ରସ୍ତୁତ ଓ ଭାରତୀୟ ସେନାର କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛୁ  । କେନ୍ଦ୍ର ସରକାର ପୂର୍ବରୁ ହଜାରେରୁ ଅଧିକ ବ୍ୟକ୍ତିଗତ ବଙ୍କର ଓ ସାମୂହିକ ବଙ୍କର ନିର୍ମାଣ କରିଛନ୍ତି । ଏବେ ଏହାର ସଫାସୁତୁରା କାମ ଚାଲିଛି ।   

ଭାରତ ପାକିସ୍ତାନ ସହିତ ୩,୩୨୩ କିଲୋମିଟର ସୀମା ସେୟାର କରୁଛି । ଯେଉଁଥିରେ ୨୨୧ କିଲୋମିଟର ଅନ୍ତରାଷ୍ଟ୍ରୀୟ ସୀମା ଓ ୭୪୪ କିଲୋମିଟର ନିୟନ୍ତ୍ରଣ ରେଖା ଜମ୍ମୁ-କାଶ୍ମୀରରେ ଆସୁଛି । ହେଲେ ୨୦୨୧ ପରେ ପାକିସ୍ତାନ ପଟୁ ସିଜ୍ ଫାୟାର ଉଲ୍ଲଙ୍ଘନ କମିଛି । ମାତ୍ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଭୟର ମାହୋଲ ଖେଳିଯାଇଛି । କେତେବେଳେ ବି ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି । 
ପଞ୍ଜାବ ଫସଲ ଅମଳ ଜୋରଦାର:

ସେପଟେ ପଞ୍ଜାବର ଅମୃତସର, ଫିରୋଜପୁର, ଗୁରଦାସପୁର, ପଠାନକୋର୍ଟ ଜିଲ୍ଲାରେ ପାକିସ୍ତାନ ସୀମାକୁ ଲାଗିକରିଥିବା ଗ୍ରାମବାସୀଙ୍କୁ ଶୀଘ୍ର ଫସଲ କାଟି ନେବାକୁ ବିଏସଏଫ ପକ୍ଷରୁ ଆଦେଶ ଜାରି ହୋଇଛି । ଦୁଇ ଦିନ ଭିତରେ ଗହମ ସହିତ ଅନ୍ୟ ଫସଲ ଅମଳ କରିନେବାକୁ କୁହାଯାଇଛି । ନିର୍ଦ୍ଧାରିତ ସମୟରେ ଫସଲ ନକାଟିଲେ ଗେଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଅନ୍ୟପଟେ ଏହି ଆଦେଶ ମିଳିବା ପରେ ସମସ୍ତ ଚାଷୀ ଫସଲ ଅମଳ କରିବା ଆରମ୍ଭ କରିଦେଇଛନ୍ତି । ବିଏସଏଫର ଏହି ଆଦେଶରୁ ଅନୁମାନ କରାଯାଉଛି, ପାକିସ୍ତାନ ଉପରେ ଭାରତ ସରକାର କିଛି ବଡ଼ ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.