ପୂର୍ବତନ ପାକ୍ ହାଇକମିଶନ ଅବଦୁଲ ବାସିତ କରିଦେଲେ ଯୁଦ୍ଧର ଭବିଷ୍ୟତବାଣୀ, ଭୟରେ ଥରହର ପାକିସ୍ତାନ

Published By : Prameya-News7 Bureau | April 26, 2025 IST

ଇସ୍ଲାମାବାଦ ୨୬।୪: ପାକିସ୍ତାନର ପୂର୍ବତନ ହାଇକମିଶନ ଅବଦୁଲ ବାସିତ ଅଲୀ ସାର୍ବଜନିକ ରୂପେ ଶାହବାଜ ସରିଫ ସରକାରଙ୍କୁ ସତର୍କ କରିଛନ୍ତି। କହିଛନ୍ତି ଏଥର ଭାରତର ଆକ୍ରୋଶ ଅତ୍ୟନ୍ତ ଗମ୍ଭୀର, ଏଥିରେ ପାକିସ୍ତାନ ଯଦି ନିଜ ନୀତି ନ ବଦଳାଏ ତେବେ ବଡ଼ ଧରଣର ଯୁଦ୍ଧ ଆଶଙ୍କାକୁ ଏଡା ଯାଇ ନପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନକୁ ଏବେ ଅନ୍ତରୀଣ ସ୍ଥିରତା ପ୍ରତି ଦୃଷ୍ଟି ଦେବା ସହିତ କ୍ଷେତ୍ରିୟ ଉତ୍ତେଜନାକୁ ହ୍ରାସ କରିବା ପାଇଁ ମଜଭୁତ ପଦକ୍ଷେପ ନେବାକୁ ପଡିବ। 

‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ ରିପୋର୍ଟ ଅନୁସାରେ ଅବଦୁଲ ବାସିତ ପାକିସ୍ତାନ ସରକାରଙ୍କୁ ଆଗାମୀ ସମୟରେ ଆଇନଶୃଙ୍ଖଳା ଅସ୍ଥିରତା ପାଇଁ ପ୍ରସ୍ତୁତ ରହିବାକୁ ଚେତାଇ ଦେଇଛନ୍ତି। ଏଥିରେ ସେ ୨୦୧୬ ଉରୀ ଓ ୨୦୧୯ ପୁଲବାମା ଆକ୍ରମଣ ପରେ ଭାରତର ପିଛିଲା କାର୍ଯ୍ୟାନୁଷ୍ଠାନର ମଧ୍ୟ ଉଲ୍ଲେଖ କରିଛନ୍ତି। ସେ ବିହାର ମଧୁବନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ଉଲ୍ଲେଖ କରି କହିଛନ୍ତି ଯେ ସୀମା ସେପାରରୁ କେବେବି ଆକ୍ରମଣ ହୋଇପାରେ। 

ସେ ଏହା ମଧ୍ୟ କହିଛନ୍ତି ଯେ ‘ଆମ ସୀମା ଭିତରେ ବି ଏହିପରି ଆକ୍ରମଣ ହୋଇପାରେ, ଯାହାପରେ ଭାରତ ଲଞ୍ଚପ୍ୟାଡ ଓ ଆତଙ୍କବାଦୀ ଶିବିର ନଷ୍ଟ କରିଥିବାର ଦାବି କରିପାରେ। ହୁଏତ ଏହା ସପ୍ତାହକ ମଧ୍ୟରେ ହୋଇପାରେ ବା ୧୫ ଦିନ ପରେ, କିଛି ନା କିଛି ନିଶ୍ଚିତ ହେବ’ ବୋଲି ସେ କହିଛନ୍ତି। ସେହିପରି ସିନ୍ଧୁ ଜଳ ସନ୍ଧିକୁ ନେଇ ସେ କହିଛନ୍ତି ଯେ ଏହାକୁ ନେଇ ଏବେ କୌଣସି କୂଟନୈତିକ ସମସ୍ୟା ନାହିଁ। ତେବେ ପାକିସ୍ତାନ ସରକାରଙ୍କଠାରୁ ବଲୁଚିସ୍ତାନ ଓ ଅନ୍ୟ ଅଞ୍ଚଳରେ ଚାଲିଥିବା ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନର ଆଶା କରାଯାଉଛି। ସେ କହିଛନ୍ତି ଯେ ସିନ୍ଧୁ ଜଳ ସନ୍ଧିକୁ ନା ସମାପ୍ତ କରାଯାଇ ପାରିବ, ନା ନିଲମ୍ବିତ କରାଯାଇ ପାରିବ। ଏହାର ଏକତରଫା ସଂଶୋଧନ ମଧ୍ୟ ହୋଇ ପାରିବ ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.