ନୂଆଦିଲ୍ଲୀ ୨୪।୧୨: ଖୁବଶୀଘ୍ର ଆରମ୍ଭ ହେବ ଚାମ୍ପିଅନ୍ ଟ୍ରଫି ୨୦୨୫ । ଏଥିପାଇଁ ଜାରି ହୋଇନି ସିଡ୍ୟୁଲ୍ । କିନ୍ତୁ ଆଇସିସି ଶୀଘ୍ର ହିଁ ଏହାର ସୂଚୀ ଜାରି କରିବ । କୁହାଯାଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃୟାରୀରେ ଖେଳାଯିବ ମ୍ୟାଚ । ରିପୋର୍ଟ ଅନୁଯାୟୀ ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ୍ ମଡେଲ୍ ପାଇଁ ୟୁଏଇକୁ ଚୟନ କରିଛି ।
ଏବେ ପ୍ରଶ୍ନ ଆସୁଛି ଯଦି ଚାମ୍ପିଅନ୍ ଟ୍ରଫିର ଫାଇନାଲ୍ ମ୍ୟାଚ୍ରେ ବର୍ଷା ହୁଏ ତେବେ କଣ ହେବ ? କିଏ ହାତେଇବ ଟାଇଟଲ୍ ? ବାସ୍ତବରେ ଚାମ୍ପିଅନ ଟ୍ରଫିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଚାମ୍ପିଅନ୍ ଟ୍ରଫିର ଫାଇନାଲ୍ ମ୍ୟାଚ୍ରେ ରହିବ ରିଜର୍ଭ ଡେ ।
ନିକଟରେ ପିସିବି ଚେୟାରମ୍ୟାନ୍ ମୋହସିନ୍ ନକଭି ଇସିବି ଚେୟାରମ୍ୟାନଙ୍କ ସହ ଏକ ବୈଠକ କରିଥିଲେ। ଏହାପରେ ୟୁଏଇର ନାଁରେ ବାଜିଥିଲା ମୋହର । ତେବେ ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆୟୋଜିତ ହୋଇପାରେ ମ୍ୟାଚ୍ । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ହୋଇନି କୌଣସି ଆନୁଷ୍ଠାନିକ ଘୋଷଣା । ଫେବୃଆରୀ ୨୦ରେ ବାଂଲାଦେଶ ବିପକ୍ଷ ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆ ଏହାର ପ୍ରଥମ ମ୍ୟାଚ୍ ଖେଳିପାରେ ।
ଚାମ୍ପିଅନ୍ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ୯ ମାର୍ଚ୍ଚରେ ଖେଳାଯାଇପାରେ । ଯଦି ଫାଇନାଲ ମ୍ୟାଚ୍ ଦିନ ବର୍ଷା ହୁଏ, ତେବେ ଏଥିପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଯଦି ମାର୍ଚ୍ଚ ୯ରେ ବର୍ଷା ହୁଏ, ତେବେ ମାର୍ଚ୍ଚ ୧୦ରେ ଖେଳାଯିବ ମ୍ୟାଚ୍ । ତେବେ ଶେଷ ମ୍ୟାଚ୍କୁ ନେଇ ଅନେକ ନିୟମ ରହିଛି । ଯଦି ରିଜର୍ଭ ଡେରେ ବି ବର୍ଷା ହୁଏ, ତେବେ ଓଭର କମ୍ କରି ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ।
ଯଦି ଟିମ୍ ଇଣ୍ଡିଆ ସେମିଫାଇନାଲରେ ପହଞ୍ଚେ ତେବେ ୟୁଏଇରେ ଏହି ମ୍ୟାଚ୍ ଖେଳାଯିବ । ସେମି ଫାଇନାଲ୍ରେ ମଧ୍ୟ ଫାଇନାଲ୍ ପରି ସମାନ ନିୟମ ଲାଗୁ ହେବ । ଯଦି ଦ୍ୱିତୀୟ ସେମିଫାଇନାଲରେ ବର୍ଷା ହୁଏ, ତେବେ ଏଥିପାଇଁ ମଧ୍ୟ ରିଜର୍ଭ ଡେ ରଖାଯାଇଛି । କିନ୍ତୁ ପ୍ରଥମ ସେମିଫାଇନାଲ ମ୍ୟାଚ୍ ପାଇଁ ରଖାଯାଇନି କୌଣସି ରିଜର୍ଭ ଡେ ।
କହିରଖୁଛୁ କି ଆଇସିସି ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫିର କାର୍ଯ୍ୟସୂଚୀ ପ୍ରକାଶ କରିନାହିଁ । କିନ୍ତୁ ଏହା ଶୀଘ୍ର ଘୋଷଣା ହୋଇପାରେ । ଟିମ୍ ଇଣ୍ଡିଆ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିପାରେ । ତେବେ ଶାରଜା ଏବଂ ଆବୁଧାବି ମଧ୍ୟ ବିକଳ୍ପ ଭାବେ ରହିଛି ।