ରଘୁବର ଦାସଙ୍କ ଇସ୍ତଫା, କେ ହରି ବାବୁ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ

Published By : Prameya-News7 Bureau | December 24, 2024 IST

ଭୁବନେଶ୍ଵର: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଓଡ଼ିଶାର ରାଜ୍ୟପାଳ ପରିବର୍ତ୍ତନ ହୋଇଛି। କମ୍ଭମପତି ହରି ବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ରଘୁବର ଦାସଙ୍କ ଇସ୍ତଫା ପରେ କେ ହରି ବାବୁଙ୍କୁ ରାଜ୍ୟପାଳ ନିଯୁକ୍ତ କରାଯାଇଛି। କେ ହରି ବାବୁ ବର୍ତ୍ତମାନ ମିଜୋରାମର ରାଜ୍ୟପାଳ ଅଛନ୍ତି। ତାଙ୍କ ନିଯୁକ୍ତିକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଓଡ଼ିଶାର ୨୬ତମ ରାଜ୍ୟପାଳ ଦାୟିତ୍ଵ ଗ୍ରହଣ କରିଥିଲେ।

କେ ହରି ବାବୁ ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସେ ୧୬ତମ ଲୋକସଭାରେ ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ସେ ଆନ୍ଧ୍ର ପ୍ରଦେଶ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଥିଲେ। ହରି ବାବୁଙ୍କୁ ୨୦୨୧ ଜୁଲାଇ ୬ରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ। 

Also read: ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି, ମନମାଳିନ୍ୟ ଦୂର ପାଇଁ ନବୀନଙ୍କ ଉଦ୍ୟମ 

ସେ ୧୯୭୨-୭୩ ମସିହାରେ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ କଲେଜରେ ସଂପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୭୪-୭୫ ମସିହାରେ ସେ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଅଧୀନରେ ଲୋକ ସଂଗର ସମିତି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ଜରୁରୀକାଳୀନ ସମୟରେ ମେଣ୍ଟେନାନ୍ସ ଅଫ୍ ଆଭ୍ୟନ୍ତରୀଣ ସୁରକ୍ଷା ଆଇନ (MISA) ଅଧୀନରେ ଗିରଫ ହୋଇ ୬ ମାସ କାରାଗାରରେ ରହିଥିଲେ। ସେ ୧୯୭୭ ମସିହାରେ ଜନତା ପାର୍ଟିର ଆନ୍ଧ୍ର ପ୍ରଦେଶ ରାଜ୍ୟର କାର୍ଯ୍ୟନିର୍ବାହୀ ସଦସ୍ୟ ଏବଂ ୧୯୭୮ ମସିହାରେ ଜନତା ଯୁବ ମୋର୍ଚ୍ଚାର ଆନ୍ଧ୍ର ପ୍ରଦେଶ ରାଜ୍ୟ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ।

୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ହରି ବାବୁ ଭାରତୀୟ ଜନତା ପାର୍ଟିର ଆନ୍ଧ୍ରପ୍ରଦେଶ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟ ଥିଲେ। ପୁଣି ୧୯୯୩ରୁ ୨୦୦୩ ମଧ୍ୟରେ ଆନ୍ଧ୍ର ପ୍ରଦେଶର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ରେ କେ ହରି ବାବୁ ବିଶାଖାପାଟନମ୍ ନିର୍ବାଚନମଣ୍ଡଳୀରୁ ବିଧାନସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ୨୦୦୩ରେ ଆନ୍ଧ୍ରପ୍ରଦେଶ ବିଜେପିର ବିଧାନସଭାର ନେତା ଭାବେ ଦଳ ତାଙ୍କୁ ଦାୟିତ୍ଵ ଦେଇଥିଲା। ୨୦୧୪ ମାର୍ଚ୍ଚରେ ସେ ବିଜେପିର ରାଜ୍ୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। 

କେ ହରି ବାବୁ ୧୯୫୩ ମସିହା ଜୁନ ୧୫ ତାରିଖରେ ମାଡ୍ରାସ ରାଜ୍ୟ(ଏବେ ଆନ୍ଧ୍ର ପ୍ରଦେଶ)ର ପ୍ରକାଶମ ଜିଲ୍ଲାର ଥିମାସମୁଦ୍ରମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପତ୍ନୀଙ୍କ ନାଁ ହେଉଛନ୍ତି କମଭମପତି ଜୟଶ୍ରୀ। କେ ହରିବାବୁ ଆନ୍ଧ୍ର ବିଶ୍ଵ ବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଛନ୍ତି। 

ଅନ୍ୟପକ୍ଷରେ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଏକ ଅପ୍ରତ୍ୟାଶିତ ଭାବେ  ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଅନ୍ୟ କୌଣସି ସ୍ଥାନରେ ନିଯୁକ୍ତି ମିଳିନାହିଁ। ଜଣେ ଓଡ଼ିଆ ଏଏସଓଙ୍କ ପ୍ରତି ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ରାଜ୍ୟର ବିଜେପି ସରକାରକୁ ମଧ୍ୟ ବଦନାମ ମୁଣ୍ଡାଇବାକୁ ପଡ଼ିଥିଲା। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବିଜେପି ସରକାରକୁ କାଠଗଡ଼ାରେ ଛିଡ଼ା କରାଇବାକୁ ଉଦ୍ୟମ କରିଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.