ଭୁବନେଶ୍ଵର: ଆଉ ଗୋଟିଏ ଦିନ ପରେ ଅର୍ଥାତ୍ ଡିସେମ୍ବର ୨୬ ତାରିଖରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ପ୍ରତି ନିର୍ବାଚନ ମଣ୍ଡଳୀରେ କିଭଳି ଦଳୀୟ ନେତା କର୍ମୀଙ୍କୁ ଏକାଠି କରି ପ୍ରତିଷ୍ଠା ଦିବସ ପାଳନ କରାଯିବ ଏବଂ ପୂର୍ବଭଳି ବିଜେଡିର ନେତା କର୍ମୀ ଏକାଠି ଅଛନ୍ତି ବୋଲି କିଭଳି ବାର୍ତ୍ତା ଦେବ ଦଳ ସେନେଇ ପ୍ରୟାସ ଆରମ୍ଭ ହୋଇଛି । ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରୟାସର ମଙ୍ଗ ଧରିଛନ୍ତି । ବିଭିନ୍ନ ଜିଲ୍ଲାର ବିଜେଡି ନେତାଙ୍କ ସହ ଆଲୋଚନା କରିବା ସହ ଏକାଠି ହୋଇ ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ସେହିଭଳି ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।
ମଝିରେ ଆଉ ମାତ୍ର ଗୋଟିଏ ଦିନ । ଡିସେମ୍ବର ୨୬ରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେଡି । ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳର ପ୍ରତିଷ୍ଠା ଦିବସ ପାଳନ ପାଇଁ ହୋଇଛି ନିଷ୍ପତ୍ତି । ପ୍ରତିଷ୍ଠା ଦିବସ ପୂର୍ବରୁ ଦଳରେ ଥିବା ମନମାଳିନ୍ୟ ଦୂର ପାଇଁ ନିଜେ ପ୍ରୟାସ ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଭିନ୍ନ ଜିଲ୍ଲାର ନେତାଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରୁଛନ୍ତି ନବୀନ । ଆଜି ବାଲେଶ୍ବର ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ଡାକି ଆଲୋଚନା କରିଛନ୍ତି ବିଜେଡି ସଭାପତି । ନବୀନଙ୍କ ସହିତ ଆଲୋଚନା ପରେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ଦଳ ସଭାପତିଙ୍କ ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବେ । ସବୁ ଦଳରେ ମନମାଳିନ୍ୟ ଥାଏ, କିନ୍ତୁ ସମସ୍ତେ ନବୀନଙ୍କ ସହ ଅଛନ୍ତି ବୋଲି କହିଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ଗତ ନିର୍ବାଚନରେ ବିଜେଡିର ପରାଜୟ ସତ୍ତ୍ବେ ନବୀନଙ୍କ ପ୍ରତି ଦଳୀୟ ନେତା କର୍ମୀଙ୍କ ବିଶ୍ବାସ ଓ ଭରସା ଅତୁଟ ରହିଛି । ବିଧାନସଭାରେ ଦଳ ଏବେ ଶକ୍ତିଶାଳୀ ବିରୋଧୀ ଦଳର ଭୂମିକାରେ ରହିଛି । ତେଣୁ ପୁଣି ଥରେ ଦଳୀୟ ସଂଗଠନକୁ ସୁଦୃଢ଼ କରି ଆଗକୁ ବଢ଼ିବାକୁ ପ୍ଲାନ୍ ଓ ପ୍ରୋଗ୍ରାମ ପ୍ରସ୍ତୁତ କରିଥିବା ବିଜେଡି ଏଥର ଦଳର ପ୍ରତିଷ୍ଠା ଦିବସକୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜୋରଦାର ଢ଼ଙ୍ଗରେ ପାଳନ କରିବାକୁ ପ୍ରସ୍ତୁତି କରିଛି । ଯେଉଁଥି ପାଇଁ ଏକଜୁଟ୍ ହୋଇଛନ୍ତି ଦଳୀୟ ନେତା ଓ କର୍ମୀ । ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି ।
ଏଥି ସହ ନବୀନ ସରକାର ଅମଳରେ ହୋଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ଜଣାଇବା ଲାଗି ହୋଇଛି ଯୋଜନା । ପୁଣି ଦଳ ସଂଗଠିତ ହେବ । ପୁଣି ନବୀନଙ୍କ ନେତୃତ୍ବରେ ଦଳ କ୍ଷମତାକୁ ଫେରିବ । ଏହି ବାର୍ତ୍ତାକୁ ନେଇ ବିଜେଡି ନେତା ଓ କର୍ମୀ ଆଗକୁ ବଢ଼ୁଥିବା ବେଳେ ଏଥର ସମସ୍ତେ ଏକାଠି ହୋଇ ଦଳର ପ୍ରତିଷ୍ଠା ଦିବସ ପାଳିବାକୁ ହୋଇଛି ନିଷ୍ପତ୍ତି ।