ରୋ-କୋଙ୍କ ଭବିଷ୍ୟତ ସ୍ଥିର କରିବ ଚାମ୍ପିଅନ୍ସ ଟ୍ରଫି, ରିଭ୍ୟୁ ମିଟିଂରେ ବଡ ନିଷ୍ପତ୍ତି

Published By : Prameya-News7 Bureau | January 13, 2025 IST

ମୁମ୍ୱାଇ ୧୩/୦୧: ବର୍ଡର-ଗାଭାସ୍କର ଟ୍ରଫି (BGT)ରେ ଭାରତର ପ୍ରଦର୍ଶନ ଥିଲା ନୈରାଶ୍ୟଜନକ । ଖାସ୍ କରି ରୋହିତ-କୋହଲିଙ୍କ ଫର୍ମକୁ ନେଇ ଉଠିଛି ପ୍ରଶ୍ନ । ଏହା ସହିତ, ଭାରତୀୟ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC)ର ଫାଇନାଲରେ ପହଞ୍ଚିପାରିଲାନି । ଅଷ୍ଟ୍ରେଲିଆ ଗସ୍ତ ପରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଜାନୁଆରୀ ୧୨ (ରବିବାର) ମୁମ୍ବାଇରେ ଏକ ସମୀକ୍ଷା ବୈଠକ କରିଥିଲା। 

ଏହି ବୈଠକର ଉଦ୍ଦେଶ୍ୟ ଥିଲା ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ପରାଜୟର ପୋଷ୍ଟମର୍ଟମ । କେଉଁଠି ରହିଲା ଭୁଲ ତାର ହୋଇଥିଲା ତର୍ଜମା । ଅଧିନାୟକ ରୋହିତ ଶର୍ମା, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ବିସିସିଆଇ ସଭାପତି ରୋଜର ବିନ୍ନି, ସଚିବ ଦେବଜିତ ସାଇକିଆ ଏବଂ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା । ଏହି ସମୟ ମଧ୍ୟରେ, ମ୍ୟାନେଜମେଣ୍ଟ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ପ୍ରଦର୍ଶନର ମଧ୍ୟ ସମୀକ୍ଷା କରିଥିଲେ । 

ସୂତ୍ରରୁ ଜଣାପଡିଛି ବୈଠକରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହୋଇଥିଲା । ଉଭୟ ଖେଳାଳିଙ୍କୁ ପଡ଼ିଆରେ ଭଲ ପ୍ରଦର୍ଶନ କରିବାକୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ବୈଠକରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଯାହା ଜଣାପଡିଛି ଉଭୟଙ୍କ ବିରୋଧରେ ଏବେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି । ବରଂ ଚାମ୍ପିଅନ୍ସ ଟ୍ରଫି ପରେ ମ୍ୟାନେଜମେଣ୍ଟ ଅଧିନାୟକ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । 

ସୂତ୍ରରୁ ଆହୁରି ଜଣାପଡ଼ିଛି କି, 'ଯେପର୍ଯ୍ୟନ୍ତ ବିରାଟ କୋହଲି ବି ଆଗକୁ ଟ୍ରଫିରେ ଭଲ ପ୍ରଦର୍ଶନ ଦେଖାଇବାକୁ ପଡିବ । ଚାମ୍ପିଅନ୍ସ ଟ୍ରଫିରେ ପ୍ରଦର୍ଶନ ଉପରେ ସବୁକିଛି ନିର୍ଭର କରେ । ଖେଳାଳିମାନେ ଦ୍ୱିପାକ୍ଷିକ ସିରିଜ୍ ଏବଂ ଘରୋଇ ଟୁର୍ଣ୍ଣାମେଣ୍ଟରୁ ଦୂରେଇ ରହିବା ନେଇ ମ୍ୟାନେଜମେଣ୍ଟ ଖୁସି ନାହିଁ । ସୂତ୍ର କହିଛି ଯେ ଏପରି ଖେଳାଳିମାନଙ୍କୁ ଚୟନ କରାଯିବନି, ଯେଉଁମାନେ ଖେଳୁନାହାଁନ୍ତି ଘରୋଇ ମ୍ୟାଚ୍। ତେବେ ଖେଳାଳିମାନଙ୍କୁ ଘରୋଇ ମ୍ୟାଚ୍‌ରେ ଅଂଶଗ୍ରହଣ କରିବାକୁ ପଡିବ ବୋଲି ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି । ଖେଳାଳି ଏବଂ ଚୟନକର୍ତ୍ତାମାନଙ୍କୁ ମଧ୍ୟ ଏ ବିଷୟରେ କଡ଼ାକଡ଼ି ସୂଚନା ଦିଆଯାଇଛି ।

ବୈଠକରେ ଦଳର ପ୍ରଦର୍ଶନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷକରି ବ୍ୟାଟିଂ ଲାଇନ୍ ଅପ୍ ବିଷୟରେ।' ଭାରତୀୟ ବ୍ୟାଟସମ୍ୟାନମାନେ ଏକ ଶକ୍ତିଶାଳୀ ଲାଇନ୍ ଅପ୍ ସତ୍ତ୍ୱେ କାହିଁକି ଭଲ ପ୍ରଦର୍ଶନ କରିପାରିଲେ ନାହିଁ ତାହା ମ୍ୟାନେଜମେଣ୍ଟ ବୁଝିବାକୁ ଚାହିଁଥିଲା । ଏହା ସହିତ, ମୁଖ୍ୟ କାରଣ ଏବଂ ଏହାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। ସମସ୍ତ ବିଷୟ ବିଚାରକୁ ନିଆଯାଇଛି ଏବଂ ଚାମ୍ପିଅନ୍ସ ଟ୍ରଫି ପରେ ତୁରନ୍ତ କିଛି ପଦକ୍ଷେପ ନିଆଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.