ଇମ୍ଫାଲ ୧୬।୧: ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ରାଜ୍ୟରେ ଶାନ୍ତି ସ୍ଥାପନା ନିମନ୍ତେ ତାଙ୍କ ସରକାରକୁ ସହଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସବୁ ପ୍ରସଙ୍ଗରେ ରାଜନୈତିକ ଓ କୂଟନୈତିକ ଆଲୋଚନା ସମ୍ଭବ। ତେବେ ସଂଘର୍ଷ ସମସ୍ୟା ସମାଧାନର ପନ୍ଥା ନୁହେଁ। ଏକ କାର୍ଯ୍ୟକ୍ରମକୁ ସମ୍ଭୋଧିତ କରି ବୀରେନ ସିଂହ କହିଛନ୍ତି ଯେ ତାଙ୍କ ସରକାର ପକ୍ଷରୁ ମଧ୍ୟ କିଛି ଭୁଲ ହୋଇଥାଇପାରେ। ତେବେ ଆମେ ଏହା ଉପରେ କାମ କରୁଛୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୁଲ ଆମର ବି ହୋଇପାରେ। ଆମେ ଏହା ଉପରେ ଅନ୍ୟମାନଙ୍କ ପରାମର୍ଶରେ କାମ କରୁଛୁ। ରାଜ୍ୟରେ ଯାହାବି ହେଉଛି ତାହା ଠିକ୍ ହେଉ ନାହିଁ, ତଥାପି କିଛି ଲୋକଙ୍କ ଉଦ୍ୟମ ଯୋଗୁ ପରିସ୍ଥିତି ସ୍ୱଭାବିକ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୨୩ରୁ ମଣିପୁରରେ ଜାରି ହିଂସାରେ ଏ ପର୍ଯ୍ୟନ୍ତ ୨୫୦ ଜଣଙ୍କ ମୃତ୍ୟୁ ହେଲାଣି ଓ ହଜାର ହଜାର ଲୋକେ ବାସହରା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଆଶା କରୁଛୁ ସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହେଉ, ଆସନ୍ତୁ ଆମେ ଏଥି ପାଇଁ ପ୍ରାର୍ଥନା କରିବା।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାହାଡ଼ ଓ ଉପତ୍ୟାକା ମଝିରେ ବିଭାଜନ ବିନା ଆସନ୍ତୁ ଶାନ୍ତି ସ୍ଥାପନା କରିବା। ଆମେ ସବୁ ମଣିପୁରୀ ଓ ଆମେ ସବୁ ଭାରତୀୟ ବୋଲି ସେ କହିଛନ୍ତି। ସବୁ ମୁଖ୍ୟ ପ୍ରସଙ୍ଗରେ ରାଜନୈତିକ ଓ କୂଟନୈତିକ ଉପାୟରେ ଚର୍ଚ୍ଚା କରାଯାଇ ପାରେ। ଆମକୁ ସମାଧାନ ଖୋଜିବାକୁ ପଡିବ। ଏପରି ଲଢିଲେ କାହାର ବି ଲାଭ ହେବ ନାହିଁ। ମଣିପୁରରେ ମେତେଇ ଓ କୁକି ସମୂଦାୟ ମଧ୍ୟରେ ୩ ମେ ୨୦୨୩ରେ ହିଂସା ଉପୁଜିଥିଲା। ମଣିପୁର ହାଇକୋର୍ଟଙ୍କ ଏକ ଆଦେଶକୁ ନେଇ ଏହି ବିବାଦ ଦେଖା ଦେଇଥିଲା।
ହାଇକୋର୍ଟ ମଣିପୁରୀ ସମୂଦାୟକୁ ଅନୁସୂଚିତ ଜନଜାତି ସୂଚୀରେ ସାମିଲ କରିବା ପାଇଁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଆଦିବାସୀ ଛାତ୍ରସଂଘ ଏଟିଏସୟୁଏମ ଏକ ରାଲି ଆୟୋଜନ କରିଥିଲା। ଏହି ରାଲିରୁ ହିଂସା ସୃଷ୍ଟି ହୋଇ ସାରା ରାଜ୍ୟକୁ ବ୍ୟାପିଯାଇଥିଲା। ସେବେଠାରୁ ରାଜ୍ୟରେ ହିଂସା ଜାରି ରହିଛି।