ISROର ତୃତୀୟ ଲଞ୍ଚପ୍ୟାଡକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ, ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରେ ସ୍ଥାପିତ ହେବ ନୂଆ ପ୍ରକ୍ଷେପଣ ସ୍ଥଳ

Published By : Prameya-News7 Bureau | January 16, 2025 IST

ନୂଆଦିଲ୍ଲୀ ୧୬।୧: ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ଶ୍ରୀହରିକୋଟ୍ଟାସ୍ଥିତ  ସତୀଶ ଧାବନ ଅନ୍ତରୀକ୍ଷ କେନ୍ଦ୍ରରେ ୩,୯୮୫ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ତୃତୀୟ ପ୍ରକ୍ଷେପଣ ସ୍ଥଳକୁ ଗୁରୁବାର କେନ୍ଦ୍ର ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ମିଳିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପରେ ଇସ୍ରୋଙ୍କ ଆଗାମୀ ପିଢୀର ପ୍ରକ୍ଷେପଣ ଯାନଙ୍କ ଲାଗି ଶ୍ରୀହରିକୋଟ୍ଟାରେ ଲଞ୍ଚ ଇନଫ୍ରାଷ୍ଟ୍ରକଚର ସହିତ ଦ୍ୱିତୀୟ ପ୍ରକ୍ଷେପଣ ସ୍ଥଳ ନିମନ୍ତେ ଏକ ଅତିରିକ୍ତ ପ୍ରକ୍ଷେପଣ ସ୍ଥଳର ପରିକଳ୍ପନା କରାଯାଇଛି। 


ସରକାର ଏକ ବୟାନରେ କହିଛନ୍ତି ଯେ ଏହା ଦ୍ୱାରା ଭବିଷ୍ୟତର ଭାରତୀୟ ମାନବ ଅନ୍ତରୀକ୍ଷ ଉଡାଣ ଅଭିଯାନ ଲାଗି ପ୍ରକ୍ଷେପଣ କ୍ଷମତା ମଧ୍ୟ ବଢିବ। ବୟାନରେ କୁହାଯାଇଛି ଯେ ତୃତୀୟ ପ୍ରକ୍ଷେପଣ ସ୍ଥଳ (ଲଞ୍ଚ ପ୍ୟାଡ)କୁ ଆଗାମୀ ୪ ବର୍ଷ ମଧ୍ୟରେ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ନେଇ ଇସ୍ରୋ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ  ଶ୍ରୀହରି କୋର୍ଟ୍ଟାରେ ପ୍ରସ୍ତାବିତ ତୃତୀୟ ଲଞ୍ଚ ପ୍ୟାଡକୁ ମଞ୍ଜୁରୀ ଦେଇଥିବା କୁହାଯାଇଛି। 



ଏହା ଆଗାମୀ ପିଢୀର ଲଞ୍ଚ ଭେଇକ୍ଲ, ଭବିଷ୍ୟତରେ ମାନବର ଅନ୍ତରୀକ୍ଷ ଉଡାଣ ମିସନ, ଏଲଭିଏମ-୩ ଲଞ୍ଚକୁ ପ୍ରୋତ୍ସାହିତ କରିବାରେ ସହଯୋଗ କରିବ। ଏହା ପୂର୍ବରୁ ଇସ୍ରୋ ‘ସ୍ପେଡେକ୍ସ’ ମିସନରେ ଗୁରୁବାର ଇତିହାସ ରଚିଛି। ପୃଥିବୀର ହାଇ ଅର୍ବିଟରେ ଦୁଇ ସ୍ପେସ୍ କ୍ରାଫ୍ଟ ଚେଜର ଓ ଟାର୍ଗେଟ ମଧ୍ୟରେ ସଫଳତାର ସହ ଡକିଂ ପ୍ରକ୍ରିୟା ଶେଷ କରିଛି। ଆଗକୁ ମହାକାଶରେ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠାରେ ଏହି ମିସନ ସହାୟକ ହେବ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.