NEET UG 2025: ପେନ୍ ଏବଂ ପେପର୍ ମାଧ୍ୟମରେ ହେବ ନିଟ୍ ୟୁଜି ପରୀକ୍ଷା, ଗୋଟିଏ ଶିଫ୍ଟରେ ହେବ ପରୀକ୍ଷା

Published By : Prameya-News7 Bureau | January 16, 2025 IST

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୫ ପରୀକ୍ଷା ପେପର୍ ଏବଂ ପେନ୍ (OMR) ମାଧ୍ୟମରେ ଆୟୋଜନ କରାଯିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ନୋଟିସ୍ ଜାରି କରି ଏହି ସୂଚନା ଦେଇଛି । ଏହାସହ ନିଟ୍ ୟୁଜି ୨୦୨୫ ପରୀକ୍ଷାର ଆୟୋଜନ ଗୋଟିଏ ଦିନରେ ଗୋଟିଏ ଶିଫ୍ଟରେ କରାଯିବ ।

ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଅଧିନିୟମ, ୨୦୧୯ର ଧାରା ୧୪ ଅନୁସାରେ ସମସ୍ତ ଚିକିତ୍ସା ସଂସ୍ଥାନରେ ସ୍ନାତକ ଚିକିତ୍ସା ଶିକ୍ଷାରେ ଭର୍ତ୍ତି ପାଇଁ NEET (UG)କୁ ଏକ ସାଧାରଣ ଏବଂ ସମାନ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା NEET (UG) ରୂପେ ଆୟୋଜନ କରାଯିବ । ସେହିପରି ନ୍ୟାସନାଲ୍ କମିଶନ ଫର୍ ଇଣ୍ଡିଆନ୍ ସିଷ୍ଟମ ଅଫ୍ ମେଡିସିନ୍ ଆକ୍ଟ ୨୦୨୦ର ଧାରା ୧୪ ଅନୁସାରେ ପରିଚାଳିତ ସମସ୍ତ ଚିକିତ୍ସା ସଂସ୍ଥାନରେ ଭାରତୀୟ ଚିକିତ୍ସା ପଦ୍ଧତିର ପ୍ରତ୍ୟେକ ବିଷୟ ଅର୍ଥାତ୍ BAMS, NUMS ଏବଂ BSMS ସ୍ନାତକ କୋର୍ସରେ ଭର୍ତ୍ତି ହେବା ପାଇଁ ମଧ୍ୟ NEET (UG) ଦରକାର । NEET (UG) ରାଷ୍ଟ୍ରୀୟ ହୋମିଓପାଥିକ ଆୟୋଗ ଅଧିନରେ BHMS କୋର୍ସରେ ଭର୍ତ୍ତି ପାଇଁ ମଧ୍ୟ ଲାଗୁ ହେବ ।

୨୦୨୫ ପାଇଁ ସଶସ୍ତ୍ର ସେନା ଚିକିତ୍ସା ସେବା ହସ୍ପିଟାଲରେ ବିଏସସି ନର୍ସିଂ ବିଷୟରେ ଆଡମିଶନ ନେବା ପାଇଁ NEET (UG) ଯୋଗ୍ୟତା ହାସଲ କରିବାକୁ ପଡ଼ିବ । ଚାରି ବର୍ଷୀୟ ବିଏସ୍‌ସି ନର୍ସିଂ କୋର୍ସରେ ଚୟନ ପାଇଁ ସର୍ଟଲିଷ୍ଟିଂ କରିବା ଲାଗି ନିଟ୍ ୟୁଜି ସ୍କୋରକୁ ମାନଦଣ୍ଡ କରାଯିବ ।

ଏହା ପୂର୍ବରୁ ନିଟ୍, ଜେଇଇ ମେନ୍, ସିୟୁଇଟି ଏବଂ ୟୁଜିସି ନେଟ୍ ପରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଆୟୋଜନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର କାର୍ଯ୍ୟରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଥିଲେ । ୨୦୨୫ରୁ ଉଚ୍ଚ ଶିକ୍ଷା ସଂସ୍ଥାନ ପାଇଁ ଏନଟିଏ କେବଳ ପ୍ରବେଶ ପରୀକ୍ଷା ଆୟୋଜନ କରିବ । ଆଗାମୀ ବର୍ଷରୁ ଏନଟିଏ କୌଣସି ନିଯୁକ୍ତି ପରୀକ୍ଷା ଆୟୋଜନ କରିବ ନାହିଁ । ଏନଟିଏ କେବଳ ଉଚ୍ଚ ଶିକ୍ଷା ପ୍ରବେଶ ପରୀକ୍ଷା ଆୟୋଜନ ଉପରେ ଧ୍ୟାନ ଦେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡିସେମ୍ୱର 17ରେ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.