ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କହିଲେ- ୨୪ ଓ ୨୫ ଦୁଇ ଦିନ ଓଡ଼ିଶା ପାଇଁ ଗୁରୁତ୍ଵପୂର୍ଣ୍ଣ

Published By : Prameya-News7 Bureau | October 21, 2024 IST

ଭୁବନେଶ୍ଵର:  ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।  ବାତ୍ୟା ‘ଦାନା’ ପାରାଦୀପରୁ ସାଗର ଦ୍ବୀପ ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏସଆରସି । ଏସଆରସିଙ୍କ ସୂଚନା ପରେ ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ବାତ୍ୟା ମୁକାବିଲା ଲାଗି ସମସ୍ତ ବ୍ୟବସ୍ଥା ନେଇ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ବୈଠକରେ ସମସ୍ତ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସେପଟେ ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପବନ ବର୍ଷାକୁ ଦେଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ  ସ୍କୁଲ ଛୁଟି ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।  

ବୈଠକରେ ସମସ୍ତ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସେହିଭଳି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ବାତ୍ୟା ମୁକାବିଲା ନେଇକନ୍ଧମାଳ, ଗଞ୍ଜାମ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଅନୁଗୋଳ, ପୁରୀ, ମାଲକାନଗିରି, ଖୋର୍ଦ୍ଧା, କଳାହାଣ୍ଡି, ରାୟଗଡ଼ା, ତାଳଚେର, ବାଲେଶ୍ବର, ବରଗଡ଼, ବୌଦ୍ଧ, ଜଗତସିଂହପୁର, କୋରାପୁଟ, ଗତପତି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍ଫରେନ୍ସିଂରେ କଥା ହୋଇଥିଲେ ଜିଲ୍ଲାପାଳ । ୨୪ ଓ ୨୫ ତାରିଖ ଏହି ଦୁଇ ଦିନ ଓଡ଼ିଶା ପାଇଁ ଗୁରୁତ୍ଵପୂର୍ଣ୍ଣ। ଆମର ମିଶନ ଜିରୋ  କାଜୁଆଲିଟି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସେପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୩୦ ଜିଲ୍ଲା ପ୍ରସ୍ତୁତ ଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଯଦି ବାତ୍ୟାର ଗତିପଥ ବଦଳିବ ତାକୁ ଦୃଷ୍ଟିରେ ରଖି ତତ୍କ୍ଷଣାତ୍ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେହିଭଳି କୃଷି ଓ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବାତ୍ୟା ପାଇଁ ଉଭୟ କୃଷି ଓ ଶକ୍ତି ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଚାଷୀମାନଙ୍କ ଲାଗି ଆଡଭାଇଜରୀ ଜାରି କରାଯାଇଛି । ବାତ୍ୟା ପରେ ବିଦ୍ୟୁତ୍ ରିଷ୍ଟୋରେସନ ଲାଗି କ୍ବିକ୍ ରେସପନ୍ସ ଟଇମ୍କୁ ତୟାର କରାଯାଇଛି । ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ୩୩ହଜାର କର୍ମଚାରୀ ନିୟୋଜିତ ହେବେ । 

ସେପଟେ ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କରିବା ସହ ବାତ୍ୟା ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗ ସମସ୍ତ କାର୍ଯ୍ୟ କରିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଥିବା ବେଳେ ଜନସାଧାରଣ ମଧ୍ୟ ଏଥି ପ୍ରତି ସଜାଗ ଓ ସତର୍କ ରହିବା ଦରକାର । ସରକାରଙ୍କ ଗାଇଡ୍ ଲାଇନ୍ ମାନିବା ସହ ଅତ୍ୟାବଶ୍ୟକ ନଥିଲେ ପବନ ବର୍ଷା ବେଳେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.