ଭୁବନେଶ୍ୱର: ୨୦୩୬ରେ ଗଠିତ ହେବ ସମୃଦ୍ଧ ଓଡ଼ିଶା। ୨୦୪୭ର ବିକଶିତ ଭାରତ ପାଇଁ ଓଡ଼ିଶାର ରହିବ ମହତ୍ତ୍ୱପୂର୍ଣ୍ଣ ଅବଦାନ। ଏହି ଲକ୍ଷ୍ୟ ହାସଲ ପାଇଁ ପ୍ରସ୍ତୁତ କରାଯିବ ଏକ ଭିଜନ ଡକୁମେଣ୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେଏହି ଭିଜନ୍ ଡକୁମେଣ୍ଟ ପାଇଁ ଏକ ୱେବ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ ସୁଚିନ୍ତିତ ମତାମତ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଓ୍ୱେବ୍ ପୋର୍ଟାଲ ହେଉଛି- https://vision.odisha.gov.in/ । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ମିଳିତ ପ୍ରଚେଷ୍ଟାରେ ଏହି ଓ୍ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ଜନସାଧାରଣ ଏହି ୱେବ ପୋର୍ଟାଲ ସହିତ ହ୍ୱାଟସ୍ ଆପ୍ ଚାଟ୍ ବଟ୍ -+91 6370951920 ଏବଂ ଇ-ମେଲ [email protected] ଜରିଆରେ ରାଜ୍ୟ ସରକାରଙ୍କୁ ବୁଧବାରଠାରୁ ତିନି ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ଯେଉଁ ଭିଜନ୍ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଯାଉଛୁ, ତାହା ଲୋକଙ୍କ ମତାମତ ଆଧାରରେ ହିଁ ପ୍ରସ୍ତୁତ ହେବ। ବିକଶିତ ଓଡିଶାର ରୂପରେଖ ଓଡିଶାର ଲୋକମାନେ ହିଁ ପ୍ରସ୍ତୁତ କରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ସରକାରୀ ଦସ୍ତାବିଜ ହେବ ନାହିଁ, ବରଂ ଏହା ଓଡିଶାର ଜନସାଧାରଣଙ୍କ ଦ୍ୱାରା, ଜନସାଧାରଣଙ୍କ ପାଇଁ ପ୍ରସ୍ତୁତ ଏପରି ଏକ ଦସ୍ତାବିଜ ହେବ ଯାହା ଜନସାଧାରଣଙ୍କ ଆକାଂକ୍ଷାର ପ୍ରକୃତ ପ୍ରତିଫଳନ ହେବ।୨୦୩୬ ଓ ୨୦୪୭ର ଓଡ଼ିଶା, ଲୋକମାନଙ୍କ ଇଚ୍ଛା ଓ ସ୍ୱପ୍ନର ଏକ ପ୍ରତିଫଳନ ହେବ ବୋଲି ସେ କହିଛନ୍ତି।