ବାଘେଲ ବନାମ ବାଘେଲ, ଛତିଶଗଡ଼ରେ ପୁଣି ଥରେ ଦାଦା-ପୁତୁରାଙ୍କ ମଧ୍ୟରେ ଲଢେଇ ! ୧-୧ରେ ଅଛନ୍ତି ବରାବର

Published By : Prameya-News7 Bureau | August 17, 2023 IST

ନୂଆଦିଲ୍ଲୀ: ଚଳିତ ବର୍ଷ ହେବାକୁ ଥିବା ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ସୂଚୀ ଜାରି କରିଛି । ଏଥିରେ ୨୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସେମାନଙ୍କୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଦେଇଛି । ନଭେମ୍ୱରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହି ପ୍ରାର୍ଥୀଙ୍କ ନାଁରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ମୋହର ବାଜିଛି । ଛତିଶଗଡ଼ରେ କଂଗ୍ରେସକୁ ଶାସନରୁ ହଟାଇବା ପାଇଁ ରଣନୀତି କରୁଥିବା ବିଜେପି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବିରୋଧରେ ତାଙ୍କ ପୁତୁରା ବିଜୟ ବାଘେଲଙ୍କୁ ମୈଦାନକୁ ଓହ୍ଲାଇଛି ।

ପଢନ୍ତୁ: ନିର୍ବାଚନ ପ୍ରସ୍ତୁତି: କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ: ବଢ଼ିଲା ସୂର୍ଯେୱାଲାଙ୍କ ଦାୟିତ୍ୱ, ଗୁଜରାଟ ଓ ଉତ୍ତର ପ୍ରଦେଶରେ ବଦଳିଲେ ନେତା

wp:html /wp:html

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପାଟନ ଆସନକୁ ବିଧାୟକ ଅଛନ୍ତି । ୨୦୧୮ରେ ବିଧାନସଭା ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ମୋତୀଲାଲ ସାହୁଙ୍କ ବଡ଼ ବ୍ୟବଧାନରେ ପରାଜିତ କରିଥିଲେ । କିନ୍ତୁ ଚଳିତ ଥର ବିଜେପି ତାଙ୍କ ବିରୋଧରେ ବିଜୟ ବାଘେଲଙ୍କୁ ଟିକଟ୍ ଦେଇଛି । ଦାଦା ଭୂପେଶଙ୍କ ସହ କଡା ପ୍ରତିଦ୍ୱନ୍ଦ୍ୱିତା ରଖୁଥିବା ବିଜୟ ବାଘେଲ ବର୍ତ୍ତମାନ ସମୟରେ ଦୁର୍ଗ ଆସନରୁ ବିଜେପି ସାଂସଦ ଅଛନ୍ତି । ଭୂପେଶଙ୍କ ପରି ବିଜୟଙ୍କ ଗଣତି ମଧ୍ୟ ଛତିଶଗଡ଼ର ଟାଣୁଆ ନେତାଙ୍କ ମଧ୍ୟରେ ହୁଏ । ଏପରିସ୍ଥିତିରେ ପାଟନ ଆସନରେ ଚଳିତ ଥର ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

ଦାଦା ଭୂପେଶ ବାଘେଲ ଏବଂ ପୁତୁରା ବିଜୟଙ୍କ ମଧ୍ୟରେ ପାଟନରେ ପୂର୍ବରୁ ଦୁଇ ଥର ମୁକାବିଲା ହୋଇସାରିଛି । ଦୁହେଁ ପରସ୍ପରକୁ ଥରେ ଲେଖାଏ ପରାଜିତ କରିସାରିଛନ୍ତି । ୨୦୦୮ ବିଧାନସଭା ନିର୍ବାଚନରେ ବିଜୟ ଦାଦା ଭୂପେଶ ବାଘେଲଙ୍କୁ ମାତ୍ ଦେଇଥିଲେ । କିନ୍ତୁ ଏହାର ପାଞ୍ଚ ବର୍ଷ ପରେ ଭୂପେଶ, ବିଜୟଙ୍କୁ ପରାସ୍ତ କରିଥିଲେ । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ବିଜୟଙ୍କୁ ଟିକଟ୍ ଦେଇ ନଥିଲା । ୨୦୧୯ରେ ତାଙ୍କୁ ଦୁର୍ଗ ଲୋକସଭା ଆସନରୁ ବିଜେପି ଟିକଟ୍ ଦେଇଥିଲା । ସେଠାରୁ ସେ କଂଗ୍ରେସ ପ୍ରାର୍ଥୀ ପ୍ରତିମା ଚନ୍ଦ୍ରାକରଙ୍କ ବିରୋଧରେ ବଡ଼ ବ୍ୟବଧାନରେ ବିଜୟୀ ହୋଇ ଦିଲ୍ଲୀ ପହଞ୍ଚିଥିଲେ ।

Also read: ମଧ୍ୟ ପ୍ରଦେଶ ଏବଂ ଛତିଶଗଡ଼ ନିର୍ବାଚନ ପାଇଁ ବିଜେପିର ପ୍ରଥମ ସୂଚୀ, ୬୦ ପ୍ରାର୍ଥୀଙ୍କ ନାଁ ଘୋଷଣା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.