ଭୁବନେଶ୍ୱର ୧୭।୦୨ : ମଙ୍ଗଳବାରଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା । ଏହି ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ । କଳାରେ ୨,୪୭,୩୯୧ ଜଣ, ବିଜ୍ଞାନରେ ୧,୧୪,୯୮୦ ଜଣ, ବାଣିଜ୍ୟରେ ୨୫,୫୨୬ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୨୧ ଜଣ ପରୀକ୍ଷା ଦେବେ। ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ପିଲା ବୋଲି କହିଛନ୍ତି ସିଏଚ୍ଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁକ୍ତ ୨ ପରୀକ୍ଷା ନିମନ୍ତେ ୨୦୫ ହବ୍ରେ ମହଜୁଦ୍ ରହିଛି ପ୍ରଶ୍ନପତ୍ର । ସକାଳ ୮.୩୦ ରେ ହବରୁ ବାହାରି ସେଣ୍ଟରରେ ପହଞ୍ଚିବ ପ୍ରଶ୍ନପତ୍ର। ସିସିଟିଭି କ୍ୟାମେରାରେ ପଞ୍ଚସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥାରେ ସ୍ଵଚ୍ଛତାର ସହ ପରୀକ୍ଷା କରିବାକୁ ସିଏଚଏସଇ ପ୍ରସ୍ତୁତ ରହିଛି। ସକାଳ ୧୦ ଟାରୁ ଦିନ ୧ ଟା ଯାଏଁ ହେବ ପରୀକ୍ଷା। ପ୍ରଥମ ଦିନ ବିଜ୍ଞାନ ବିଭାଗ ବିଭାଗ ଛାତ୍ରଛାତ୍ରୀ ଦେବେ ସାହିତ୍ୟ ପରୀକ୍ଷା। ୯.୩୦ ସୁଦ୍ଧା ସେଣ୍ଟରରେ ପହଞ୍ଚିବେ ପରୀକ୍ଷାର୍ଥୀ। ତେବେ ଖରାକୁ ଦୃଷ୍ଟିରେ ରଖି ସାଙ୍ଗରେ ପାଣି ନେଇ ଯାଇପାରିବେ ପରୀକ୍ଷାର୍ଥୀ ହେଲେ ପରୀକ୍ଷା ହଲକୁ ପାଣି ବୋତଲ ମନା। ସଂପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲକୁ ଛଡାଯିବ। ସକାଳ ୯.୫୦ରେ ପାଇବେ ଉତ୍ତର ଖାତା ୯.୫୫ ରେ ପ୍ରଶ୍ନପତ୍ର ପାଇବେ । ମୋଟ ୩୨ ପେଜର ଉତ୍ତର ଖାତା ଚେକ୍ କରିବା ପରେ ୧୦ ଟାରୁ ଉତ୍ତର ଲେଖା ଆରମ୍ଭ କରିବେ। ପ୍ରଶ୍ନପତ୍ର ଭାଇରାଲ ଭଲି ଗୁଜବ ଉପରେ ବିଶ୍ୱାସ ନ କରିବା ଉଚିତ୍ ।