ଅରୁଣାଚଳ ପ୍ରଦେଶ ଇଟା ନଗରରେ ବାଦଲଫଟା ବର୍ଷା, ଅନେକ ଅଞ୍ଚଳ ଜଳମଗ୍ନ

Published By : Prameya-News7 Bureau | June 23, 2024 IST

ଇଟାନଗର ୨୩।୬: ଦେଶକୁ ମୌସୁମୀ ଆଗମନ ପରେ କେତେକ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଏହିକ୍ରମରେ ୨୩ ଜୁନ ରବିବାର ଅରୁଣାଚଳ ପ୍ରଦେଶ ଇଟାନଗରରେ ବାଦଲ ଫାଟିବାରୁ ଅନେକ ସ୍ଥାନରେ ଭୂ-ସ୍ଖଳନ ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି କରିଛି। ଅଧିକାରୀ କହିଛନ୍ତି ଯେ ଗତ କିଛି ସପ୍ତାହ ହେଲା ଅରୁଣାଚଳ ପ୍ରଦେଶରେ ବର୍ଷା ଲାଗି ରହିଛି। ତେବେ ଗତ ଦୁଇ ଦିନ ହେଲା ପରିସ୍ଥିତିରେ ସୁଧାର ଆସିଥିବା ବେଳେ ରବିବାର ବାଦଲ ଫଟା ବର୍ଷା ନୂଆ ସମସ୍ୟା ସୃଷ୍ଟି କରିଛି। 

ବିପର୍ଯ୍ୟୟ ପ୍ରବନ୍ଧନ ଅଧିକାରୀ ଏ ନେଇ ସୂଚନା ଦେଇ କହଛନ୍ତି ଯେ ରବିବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ବାଦଲ ଫାଟିଥିଲା। ଫଳରେ ଇଟାନଗର ଓ ଏହାର ଆଖପାଖ ଅଞ୍ଚଳରେ ଭୂ-ସ୍ଖଳନର ଖବର ଆସିଛି। ବାଦଲଫଟା ବର୍ଷା ଯୋଗୁ ଏନଏଚ-୪୧୫ର ଅନେକ ଅଂଶ ବନ୍ୟାରେ ଭାସି ଯାଇଛି। ଏଣୁ ଇଟାନଗରର ଲାଇଫଲାଇନ କୁହାଯାଉଥିବା ଜାତୀୟ ରାଜମାର୍ଗର ଅନେକ ସ୍ଥାନରେ ମାଲବାହୀ ଟ୍ରକ ଅଟକି ରହିଛନ୍ତି। 

ବାଦଲ ଫାଟିବା ପରେ ଉପୁଜିଥିବା ପରିସ୍ଥିତିରେ ଲୋକଙ୍କୁ ନଦୀ ଓ ଭୂ-ସ୍ଖଳନ ଅଞ୍ଚଳକୁ ନଯିବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ତେବେ ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ସ୍ଥାନରେ ରିଲିଫ ଶିବିର ସ୍ଥାପନା କରାଯାଇଛି। ଗତବର୍ଷ ବର୍ଷା ଋତୁରେ ମଧ୍ୟ ଏଠାରେ ଏପରି ପରିସ୍ଥିତି ଉପୁଜିଥିଲା। ଭୀଷଣ ବର୍ଷା ଯୋଗୁ ଭୂ-ସ୍ଖଳନ ଓ ବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.