ଦଳାଚକଟା ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷର ସହାୟତା ଘୋଷଣା

Published By : Prameya-News7 Bureau | July 08, 2024 IST

ଭୁବନେଶ୍ୱର ୦୮/୦୭: ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହତଙ୍କୁ ବିନା ମୂଲ୍ୟରେ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

ରଥଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଏଥିରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନା ଥାଉକି, ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ ଘଟିଛି। ତାଳଧ୍ୱଜ ରଥ ଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଜଣକ ଅଣ ଓଡ଼ିଆ ବୋଲି ଜଣାପଡ଼ୁଛି । ହେଲେ ତାଙ୍କର ପରିଚୟ ଜଣାପଡ଼ି ନାହିଁ ।

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.