କଟକ ୨୬।୦୧ : ୭୬ ତମ ସାଧାରଣତନ୍ତ୍ର ଦିବସ । କଟକରେ ଅନୁଷ୍ଠିତ ସାଧାରଣତନ୍ତ୍ର ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଡାନାସୀ ପଡିଆରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିସହିତ ପରେଡର ଅଭିବାଦନ ମଧ୍ୟ ଗ୍ରହଣ କରିଛନ୍ତି ।
ତେବେ ପତାକା ଉତ୍ତୋଳନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିକଶିତ ଓଡିଶା ପାଇଁ ସମସ୍ତେ ହାତ ବଢାଇବା ଦରକାର। ଆଜିର ଦିନ ଆମ ପାଇଁ କେବଳ ଉତ୍ସବ ନୁହେଁ ବରଂ ଆମ ସମ୍ବିଧାନକୁ ରକ୍ଷା କରିବାର ଦାୟିତ୍ବ । ଲୋକମାନେ ହିଁ ଗଣତନ୍ତ୍ରର ପ୍ରକୃତ ଶାସକ। ରାଜ୍ୟରେ ସୁଭଦ୍ରା ଯୋଜନା ଏକ ସଫଳ ପ୍ରୟାସ , ଏଥିରେ ୮୦ ଲକ୍ଷରୁ ଅଧିକ ମହିଳା ସୁଭଦ୍ରାରୁ ଲାଭ ପାଇଲେଣି। ଆଗାମୀ ମାସରୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବ। ୧ କୋଟିରୁ ଅଧିକ ଲୋକ ଏହି ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେ । ଆୟୁଷ୍ମାନ ଯୋଜନାରେ ପ୍ରତି ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ । ସେହିପରି ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବ। ପ୍ରତି ପଞ୍ଚାୟତରେ ଆଦର୍ଶ ସ୍କୁଲ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।