ଶନିବାରଠୁ କମିବ ତାତି, ବଢିବ ଶୀତ : ୧ ଯାଏଁ ଘଡ଼ଘଡି ସହିତ ବର୍ଷା ସମ୍ଭାବନା

Published By : Prameya-News7 Bureau | January 25, 2025 IST

ଭୁବନେଶ୍ୱର ୨୫।୦୧ : ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ । ରାତିରେ ପୁଣି ଶୀତ ଅନୁଭୂତ ହେବ । ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧  ତାରିଖ ବେଳକୁ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି । 

ଡ. ସାହୁ କହିଛନ୍ତି, ଗୁରୁଚାପ ପାଇଁ ଗରମ ପବନ ଆସୁଥିଲା । ତେଲଙ୍ଗାନା, ମହାରାଷ୍ଟ୍ରରେ ଗରମ ଅଧିକ ରହୁଥିଲା । ସେ ପାଖରୁ ଓଡ଼ିଶାକୁ ପବନ ଆସୁଥିଲା । ଏଥିପାଇଁ ଦିନ ତାପମାତ୍ରା ଅଧିକ ରହୁଥିଲା । ଆଜିଠାରୁ ଗୁରୁଚାପ ଦୁର୍ବଳ ହୋଇଯାଇଛି । ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବ । ଏଥିପାଇଁ ଶନିବାରଠାରୁ ଦିନ ଓ ରାତି ତାପମାତ୍ରା କମିବ ବୋଲି ସେ କହିଛନ୍ତି । ୨୮ ଯାଏ ତାତି କମ୍‌ ରହିବ । କୁହୁଡ଼ିର  ପ୍ରଭାବ କମିବ । ୨୯ ଓ ୩୦ ତାରିଖରୁ ପୁଣି ଥରେ  ଘନ କୁହୁଡ଼ି ଆରମ୍ଭ ହେବ । 

ଆସନ୍ତା ୪ ଦିନ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ଓ ଶୀତ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)   ପୂର୍ବାନୁମାନ କରିଛି । ସେପଟେ ତାତି ପୁଣି ରେକର୍ଡ  କରିଛି । କୋରାପୁଟରେ ସପ୍ତାହରେ ଦୁଇ ଥର ପାଇଁ ସର୍ବକାଳୀନ ରେକର୍ଡ ତାତି ଅନୁଭୂତ ହୋଇଛି । ପାରଳାଖେମୁଣ୍ଡିରେ ବି ତାତି ୩୪ ଡିଗ୍ରୀ ସେଲସିୟସ୍‌  ପାର୍‌ ହୋଇଛି । ଜାନୁଆରୀ ମାସ ନ ସରୁଣୁ ରାଜ୍ୟରେ  ତାତି ଏବେ ଡରାଇବା ଆରମ୍ଭ କଲାଣି । ରାଜ୍ୟର  ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୫.୧ ଡିଗ୍ରୀରୁ  ଅଧିକ ଥିଲା ବୋଲି ଆଇଏମଡି ପକ୍ଷରୁ ସୂଚନା  ଦିଆଯାଇଛି । 

୨୦୦୯ ଜାନୁଆରୀ ୩୧ ତାରିଖରେ କୋରାପୁଟର   ଦିନବେଳାର ତାତି ୩୩ ଡିଗ୍ରୀ ଥିଲା । ସେବେ ଏହି   ତାତି ସର୍ବକାଳୀନ ରେକର୍ଡ କରିଥିଲା । ଗତ ୨୨   ତାରିଖରେ ଏଠାରେ ତାତି ୩୩.୨ ଡିଗ୍ରୀ ଥିଲା ।  ଆଜି ଏଠାରେ ସମାନ ତାତି ଅନୁଭୂତ ହୋଇଛି ।   ପାରଳାଖେମୁଣ୍ଡିରେ ତାତି ସବୁଠୁ ଅଧିକ ୩୪.୨ ଡିଗ୍ରୀ  ରହିଛି । ବଲାଙ୍ଗିରରେ ତାତି ୩୩.୨ଡିଗ୍ରୀ, ବରଗଡ଼  ଓ ଭବାନୀପାଟଣାରେ ୩୩, ସମ୍ବଲପୁରରେ ୩୨.୯,  ଢେଙ୍କାନାଳରେ ୩୨.୨, ମାଲକାନଗିରିରେ ୩୨.୧ ଓ  ନୂଆପଡ଼ାରେ ତାତି ୩୨ ଡିଗ୍ରୀ ରହିଛି । 

ପାରଦ ଉପରମୁହାଁ ହେବାରୁ ରାଜ୍ୟରୁ ଶୀତ  ଏକପ୍ରକାର ଗାଏବ ହୋଇଯାଇଛି । ଅଧିକାଂଶ  ସ୍ଥାନରେ ପାରଦ ୧୬ରୁ ୧୭ ଡିଗ୍ରୀ ଉପରେ ରହିଛି ।   ଚାନ୍ଦବାଲିରେ ୨୦.୮, ପାରାଦୀପରେ ୨୦.୨, ପୁରୀରେ  ୨୦.୧, ଭୁବନେଶ୍ୱରରେ ୧୯.୫, କଟକରେ ୧୮.୮,   ବାରିପଦାରେ ୧୮.୫, ଢେଙ୍କାନାଳରେ ୧୭.୬,  ଟିଟିଲାଗଡ଼ରେ ୧୭.୨, ତାଳଚେର ଓ ଭଦ୍ରକରେ ୧୭, ସମ୍ବଲପୁରରେ ୧୬.୩ ଓ ମାଲକାନଗିରି ଓ  ଛତ୍ରପୁରରେ ରାତି ତାପମାତ୍ରା ୧୬ ଡିଗ୍ରୀ ଥିଲା । 

ଆସନ୍ତା ଦୁଇ ଦିନ ଯାଏ ଏଭଳି ପାଣିପାଗ  ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ   ପୂର୍ବାନୁମାନ କରିଛି । ଶନିବାର ଉପକୂଳ ଓଡ଼ିଶା   ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ପଡ଼ିବ ବୋଲି  ଆକଳନ କରାଯାଇଛି । ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ,   କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଗଞ୍ଜାମ,  ଗଜପତି, ନୟାଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ  ଓ କୋରାପୁଟରେ ଘନ କୁହୁଡ଼ି ଦେଖାଦେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.