ଭୁବନେଶ୍ବର ୧୩।୬: ରାଜଧାନୀ ପାଲଟିଛି ବନ୍ଧୁକ ବେପାରର ହବ୍ । ରାଜଧାନୀ ଉପକଣ୍ଠରେ ହେଉଥିଲା ବନ୍ଧୁକ ବେପାର ପାଇଁ ଡିଲ୍ । ଡିଲ୍ରେ ସାମିଲ ହୋଇଥିଲା କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ । ୫୦ ହଜାରରେ ଗୋଟିଏ ପିସ୍ତଲ କିଣିବା ପାଇଁ ପୋଲିସ ସାଜିଥିଲା ଗ୍ରାହକ ।
ପିସ୍ତଲ ବିକ୍ରି ସମୟରେ ସାଲେପୁରର ମାଷ୍ଟର ମାଇଣ୍ଡ ଶେଖ ସକିଲକୁ ମାଡି ବସିଥିଲା ସ୍ପେଶାଲ ସ୍କ୍ବାଡ୍ । ପ୍ରଥମେ ତା ନିକଟରୁ ଗୋଟିଏ ପିସ୍ତଲ ଜବତ କରି ତଦନ୍ତ ଆରମ୍ଭ କରାଯାଇଥିଲା । ଏହାପରେ ଜଟଣୀ ଗେଟ୍ ନିକଟରେ ଭଡାରେ ରହୁଥିବା ମଧ୍ୟପ୍ରଦେଶର ରାଘବେନ୍ଦ୍ର ସିଂ ଓ ଉତ୍ତରପ୍ରଦେଶର ପ୍ରବୀଣ ସିଂ, ଇନ୍ଦ୍ରଜିତ ସିଂ, ଅଭିଶେକ ରାଜପୁତକୁ ଗିରଫ କରି ତାଙ୍କ ନିକଟରୁ ଆହୁରି ୫ ଗୋଟି ପିସ୍ତଲ ଓ ୧୮ ରାଉଣ୍ଡ ଅଫୁଟା ଗୁଳି ଜବତ କରିଥିଲା ପୋଲିସ । ମଧ୍ୟପ୍ରଦେଶରୁ ଏହି ପିସ୍ତଲ ଗୁଡିକୁ ଚୋରାରେ ଆଣି ଖୋର୍ଦ୍ଧା ଓ ଏହାର ଆଖପାଖରେ ବିକ୍ରି କରୁଥିଲେ ଏହି ଟିମ୍ । ଆଉ ଦେଖୁଥିଲେ ରାତାରାତି ବଡଲୋକ ହେବାର ସ୍ବପ୍ନ । ହେଲେ ପୋଲିସ ଏମାନଙ୍କୁ ଗିରଫ କରିବା ପରେ ଏମାନଙ୍କର ସବୁ ସ୍ବପ୍ନ ଚୁରମାର ହୋଇଯାଇଛି ।
ଗିରଫ ୫ ଅଭିଯୁକ୍ତଙ୍କ କୁଣ୍ଡଳି ଖୋଜୁଛି ସ୍ପେଶାଲ ସ୍କ୍ବାଡ୍ । ସକିଲ ନାଁରେ ସାଲେପୁର ଓ କଟକ ଅଞ୍ଚଳର ବିଭିନ୍ନ ଥାନାରେ ରହିଛି ଏକାଧିକ ଅପରାଧିକ ମାମଲା । ସେହିଭଳି ଗିରଫ ରାଘବେନ୍ଦ୍ର, ଇନ୍ଦ୍ରଜିତ, ପ୍ରବୀଣ ଓ ଅଭିଶେକ ବିରୁଦ୍ଧରେ କ’ଣ କ’ଣ ଅପରାଧିକ ମାମଲା ରହିଛି ତାର ତଦନ୍ତ କରୁଛି କମିସନରେଟ୍ ପୋଲିସ । ସ୍ପେଶାଲ ସ୍କ୍ବାଡ୍ର ଦୁଇଟି ଟିମ୍ ଏମାନଙ୍କ ବିରୁଦ୍ଧରେ ତଥ୍ୟ ଆଣିବା ପାଇଁ ବାହାର ରାଜ୍ୟରେ ଡେରା ପକାଇଛି ।
ଗିରଫ ଅଭିଯୁକ୍ତ ମାନେ ଖୋର୍ଦ୍ଧା, ଜଟଣୀ, ତାପଙ୍ଗ, ପୀତାପଲ୍ଲୀ, ପୁମ୍ଭାରବସ୍ତ ଓ ପାଣିଓରାରେ ଅନେକ ଅପରାଧି ଓ ଖଣି ମାଫିଆ ମାନଙ୍କୁ ପିସ୍ତଲ ବିକ୍ରି କରିଥିବା ଜାଣିବାକୁ ପାଇଛି ସ୍ପେଶାଲ ସ୍କ୍ବାଡ୍ । ଅନ୍ୟମାନଙ୍କୁ ଧରିବା ପାଇଁ ଏବେ ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି କମିସନରେଟ୍ ପୋଲିସ ।
You Can Read:
ଦୁଇ ACM କ୍ୟାଡର ହାର୍ଡକୋର ମାଓବାଦୀ ଗିରଫ, ଘୋଷଣା ଥିଲା ୮ଲକ୍ଷ ଟଙ୍କାର ପୁରସ୍କାର ରାଶି