ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ଙ୍କୁ ମିଳିବ ଦରମା

Published By : Prameya-News7 Bureau | February 14, 2025 IST

ଭୁବନେଶ୍ବର: ଦରମା ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ । ଶୁକ୍ରବାର ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି “ଲକ୍ଷପତି ଦିଦି ସହାୟିକା ଯୋଜନା” ନାମକ ଏକ ନୂତନ ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ ଗ୍ରାମ ପଞ୍ଚାୟତ ସଂଘ (GPLF) ମାନଙ୍କୁ ଅନୁଦାନ ପ୍ରଦାନ କରିବେ l ଏପ୍ରିଲ ୨୦୨୪ ଠାରୁ ପିଛିଲା ଭାବେ ସେମାନଙ୍କୁ ପାରିଶ୍ରମିକ ମିଳିବ ଏବଂ ଏହାଦ୍ବାରା ପ୍ରାୟ ୬୨ ହଜାରରୁ ଉର୍ଦ୍ଧ୍ଵ କମ୍ୟୁନିଟି ସପୋର୍ଟ ଷ୍ଟାଫ ଉପକୃତ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଓଡ଼ିଶା ଜୀବିକା ମିଶନ ୨୦୧୨ ମସିହା ଅପ୍ରେଲ ୧ ତାରିଖରୁ କାର୍ଯ୍ୟକାରୀ ହେଉଅଛି। ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନ ଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଅଛି । 

ପୁନର୍ବାର ଏହି ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ସାମାଜିକ ତଥା ଅର୍ଥନୈତିକ ସହାୟତା ପ୍ରଦାନ କରିବା ପାଇଁ ସେମାନଙ୍କୁ ଗ୍ରାମ ଓ ପଞ୍ଚାୟତସ୍ତରରେ ସଂଗଠିତ କରାଯାଉଅଛି। ଏହି ସ୍ଵୟଂ ସହାୟକ ଗୋଷ୍ଠୀ (SHG), ଆଞ୍ଚଳିକ ମଞ୍ଚ (CLF) ଏବଂ ଗ୍ରାମ ପଞ୍ଚାୟତ ସଂଘ (GPLF)ଗୁଡିକୁ ସୁଦୃଢ ଓ ସଶକ୍ତ କରିବା ପାଇଁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ଦ୍ଵାରା ନିଯୁକ୍ତି ଦିଆଯାଇଥିଲା । 

କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ମଧ୍ୟରେ କମ୍ୟୁନିଟି ରିସୋର୍ସ ପର୍ସନ ଫର୍‌ କମ୍ୟୁନିଟି ମୋବିଲାଇଜେସନ (CRP-CM), ମାଷ୍ଟର ବୁକ୍‌ କିପର (MBK),  ବ୍ୟାଙ୍କ ମିତ୍ର ଓ ପ୍ରାଣୀ ମିତ୍ର ଅନ୍ତର୍ଭୁକ୍ତ ଅଟନ୍ତି l ରାଜ୍ୟରେ ମୋଟ ୬୨,୩୪୧ ଜଣ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ନିଯୁକ୍ତ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.