କେଜରିୱାଲଙ୍କ ଜାମିନକୁ ନେଇ ଆସିଲା କଂଗ୍ରେସର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ଦିଲ୍ଲୀ ପିସିସି ଅଧ୍ୟକ୍ଷ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ ୧୩।୯: ପ୍ରଦେଶ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଜାମିନକୁ ନେଇ ପ୍ରତିକ୍ରିୟା ରଖିଛି। ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ କହିଛନ୍ତି ଯେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସାମ୍ବିଧାନିକ ପ୍ରକ୍ରିୟା ଅନ୍ତର୍ଗତ ମଦ ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ବିଚାର ପ୍ରକ୍ରିୟାର ଏକ ଅଂଶ ବିଶେଷ। ଦେବେନ୍ଦ୍ର କହିଛନ୍ତି ଯେ ଆଇନ ତା କାମ କରୁଛି ଓ ବିଚାର ବ୍ୟବସ୍ଥା ଉପରେ ସମସ୍ତଙ୍କୁ ବିଶ୍ୱାସ ରଖିବା ଦରକାର। 

ତେବେ ଜାମିନ ବାଦେ ଏହା କୁହାଯାଇ ପାରିବନି ମନିଷ ସିସୋଦିଆ, ସଞ୍ଜୟ ସିଂହ ଓ ଅରବିନ୍ଦ କେଜରିୱାଲ ଅଭିଯୋଗ ମୁକ୍ତ ହୋଇଯାଇଛନ୍ତି, ମାମଲା ଏବେବି କୋର୍ଟଙ୍କ ସଂଜ୍ଞାନରେ ଅଛି। କେଜରିୱାଲଙ୍କୁ ବି କ୍ଲିନଚିଟ୍‌ ମିଳିନି ବରଂ ସର୍ତ୍ତମୂଳକ ଜାମିନ ମିଳିଛି। ଦେବେନ୍ଦ୍ର କହିଛନ୍ତି ଯେ ଆମ ଆଦମୀ ପାର୍ଟି କହୁଛି ଏହା ସତ୍ୟର ବିଜୟ। ତେବେ ଏହା ବି ସତ୍ୟ ଯେ କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ଏବେ ତୁଲାଇ ପାରିବେନି। ଦିଲ୍ଲୀବାସୀଙ୍କ ଆଗରେ କେଜରିୱାଲ ଓ ତାଙ୍କ ପାର୍ଟିର ଚରିତ୍ର ଉଜାଗର ହୋଇସାରିଛି। ଜନତା ଏବେ ପରିବର୍ତ୍ତନ ଚାହୁଁଛନ୍ତି। 

ଦେବେନ୍ଦ୍ର କହିଛନ୍ତି ଯେ ସୁପ୍ରିମକୋର୍ଟ କେଜରିୱାଲଙ୍କ ଗିରଫକୁ ବୈଧ ବୋଲି କହିଛନ୍ତି। ସର୍ତ୍ତମୂଳକ ଜାମିନ ଯୋଗୁ କେଜରିୱାଲଙ୍କ ପାସପୋର୍ଟ ଏବେ କୋର୍ଟରେ ଜବତ ରହିବ ଓ ସବୁ ସୋମବାର ଓ ଗୁରୁବାର ସେ ଯାଞ୍ଚ ଅଧିକାରୀଙ୍କ ସମ୍ମୁଖରେ ତାଙ୍କ ଉପସ୍ଥିତି ଜାହିର କରିବାକୁ ପଡିବ। ଦେବେନ୍ଦ୍ରଙ୍କ ଅନୁସାରେ ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ଉପସ୍ଥିତି ହାଜିରା ଦେବା ବାସ୍ତବିକ ଲଜ୍ଜାଜନକ କଥା। କେଜରିୱାଲ ଏବେ ନୈତିକ ରୂପେ ତାଙ୍କ ପଦରେ ରହିବାର କୌଣସି ଅଧିକାର ନାହିଁ। ସେ ତତ୍କାଳ ଇସ୍ତଫା ଦେଇଦେବା ଦରକାର ବୋଲି ଦେବେନ୍ଦ୍ର ଯାଦବ କହିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.