ନୂଆଦିଲ୍ଲୀ ୭/୮: ଭାରତର ଅବସ୍ଥା ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ହେବ । ଶେଖ ହସିନାଙ୍କ ଘରେ ଯେମିତି ଲୋକ ପଶିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ପଶିଯିବେ ସାଧରଣ ଜନତା । ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ସଜ୍ଜନ ସିଂ ବର୍ମା । କିଛି ଦିନ ତଳେ ଏକ ସଭାକୁ ସମ୍ବୋଧନ କରି ମଞ୍ଚ ଉପରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ନେତା ସଜ୍ଜନ ।
କହିଥିଲେ ଭାରତରେ ମଧ୍ୟ ବାଂଲାଦେଶ ଭଳି ସ୍ଥିତି ହେବାକୁ ଯାଉଛି । ପ୍ରଥମେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ । ଏହା ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ । ଏବେ ଭାରତର ପାଳି । କାରଣ ପ୍ରଧାନମନ୍ତ୍ରୀଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଲୋକମାନେ ରାଗରେ ଅଛନ୍ତି । କଂଗ୍ରେସ ନେତାଙ୍କ ଏହି ବିବାଦୀୟ ବୟାନ ଭାଇରାଲ ହେବାରେ ଲାଗିଛି ।
ସେପଟେ କଂଗ୍ରେସ ନେତାଙ୍କ ବୟାନକୁ ବିରୋଧ କରି କଡା ଜବାବ ଦେଇଛି ବିଜେପି । କହିଛି ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନ । ଦେଶର ବାତାବରଣ ନଷ୍ଟ କରିବାକୁ ଚାହୁଁଛି କଂଗ୍ରେସ । ଏହାଠାରୁ ଆପତ୍ତିଜନକ କଣ ହୋଇପାରେ । ଏଥିରେ ସନ୍ଦେହ ନାହିଁ,ଯେତେବେଳେ ବି ଦେଶରେ ଦଙ୍ଗା ହୁଏ କଂଗ୍ରେସର ହାତ ଥାଏ । କଂଗ୍ରେସର ନିଜ ନେତା ଓ କର୍ମୀଙ୍କ ଉପରେ କଣ୍ଟ୍ରୋଲ ନାହିଁ । ଏମାନେ ଦେଶପାଇଁ କ୍ଷମା ମାଗିବା ଦରକାର ।