୫୦ ପଇସା ପାଇଁ ୧୫ ହଜାର ଟଙ୍କା; ଆଠଣୀକୁ ହାଲୁକାରେ ନେବା ପଡ଼ିଲା ମହଙ୍ଗା

Published By : Prameya-News7 Bureau | October 25, 2024 IST

ଚେନ୍ନାଇ: କେବେ ଆପଣ ଭାବିଛନ୍ତି ପଚାଶ ପଇସା ପାଇଁ ଦେବାକୁ ପଡ଼ିବ ୧୫ ହଜାର ଫାଇନ୍ । ଏହା ତ ସମ୍ଭବ ନୁହେଁ । କିଏ କାହିଁକି ୫୦ ପଇସା ପାଇଁ ଏତେ ଟଙ୍କା ପେନାଲ୍ଟି ଦେବାକୁ ଯିବ । ହିଁ ଆଜ୍ଞା ଏହା ସତ, ପଚାଶ ପାଇସା ପାଇଁ ଡାକ ବିଭାଗ ୧୫ ହଜାର ଫାଇନ୍ ହେବ । ଅର୍ଥାତ୍ ୫୦ ପାଇସା ପାଇଁ ୨,୯୯୯,୯୯୯ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ । ଚେନ୍ନାଇରୁ ସାମ୍ନାକୁ ଆସିଛି ଏଭଳି କିଛି ଖବର । କାଞ୍ଚିପୁରମ୍‌ ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଭାରତୀୟ ପୋଷ୍ଟ କୁ ମୋଟା ଅଙ୍କର ଫାଇନ୍ ଲଗାଇଛି ।

ମାମଲାଟି ୨୦୨୩, ଡିସେମ୍ବର ୧୩ ତାରିଖରେ ଖାଉଟି ଅଦାଲତରେ ରୁଜୁ ହୋଇଥିଲା । ମାନଶା ନାମକ ଜଣେ ଉପଭୋକ୍ତା ପୋଝିଚଲୂର ପୋଷ୍ଟ୍‌ ଅଫିସ୍‌ରେ ଏକ ପଞ୍ଜୀକୃତ ଚିଠି ପାଇଁ ନଗଦ ୩୦ ଟଙ୍କା ଦେଲେ । କିନ୍ତୁ ତାଙ୍କୁ ମିଳିଥିବା ରସିଦରେ ୨୯.୫୦ ଟଙ୍କା ଉଲ୍ଲେଖ ହୋଇଥିଲା । ମାନଶା ୟୁପିଆଇ ଜରିଆରେ ରସିଦରେ ଥିବା ପ୍ରକୃତ ରାଶି ଜମା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୈଷୟିକ ସମସ୍ୟା ଯୋଗୁ ଡାକ ବିଭାଗ କର୍ମଚାରୀମାନେ ଏହାକୁ ସ୍ୱୀକାର କରି ନଥିଲେ । ସେମାନେ କହିଲେ, ଦୈନିକ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି । ଠିକ୍‌ ଢଙ୍ଗରେ ହିସାବ ନ ରଖିଲେ, ସରକାରଙ୍କର କ୍ଷତି ହୋଇପାରେ । ଏହାଯୋଗୁ ମାନଶାଙ୍କୁ ଗମ୍ଭୀର ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଅନ୍ୟପକ୍ଷେ, ଇଣ୍ଡିଆ ପୋଷ୍ଟ୍‌ କହିଲା, ବୈଷୟିକ ସମସ୍ୟା ଯୋଗୁ ସେତେବେଳେ ଡିଜିଟାଲ ଶୁଳ୍କ ସ୍ୱୀକାର କରାଯାଇ ନ ଥିଲା । ସେଥିପାଇଁ ନଗଦ ନିଆଗଲା । ୫୦ ପଇସାର ରାଉଣ୍ଡିଂ ପୋଷ୍ଟ୍‌ ସଫ୍ଟୱେର ଦ୍ୱାରା ସ୍ୱୟଂଚାଳିତ ଭାବେ କରାଯାଇଥିବା ମଧ୍ୟ ଏହା ସ୍ପଷ୍ଟ କରାଯାଇଥିଲା । କିନ୍ତୁ ଉପଭୋକ୍ତା ଜଣକ ଖାଉଟି ଅଦାଲତରେ ଏହାକୁ ନେଇ ମାମଲା ରୁଜୁ କରିଥିଲେ । କେସର ଶୁଣାଣି ବେଳେ ଆୟୋଗ ସାମ୍ନାରେ ମାନଶା ପୋଷ୍ଟ୍‌ ଅଫିସ୍‌ ଅତିରିକ୍ତ ୫୦ ପଇସା ନେବା ଉପଭୋକ୍ତା ସଂରକ୍ଷଣ ଅଧିନିୟମ ଅନ୍ତର୍ଗତ ଅସମାନ ବ୍ୟବସାୟ ପ୍ରଥାର ବୋଲି କହିଥିଲେ । ତେଣୁ ୫୦ ପଇସା ଉପଭୋକ୍ତାଙ୍କୁ ଫେରାଇବାକୁ ଖାଉଟି ଅଦାଲତ, ଇଣ୍ଡିଆ ପୋଷ୍ଟ୍‌କୁ ନିର୍ଦ୍ଦେଶ ଦେବା ସହିତ ମାନସିକ ପୀଡ଼ା ଲାଗି ୧୦ହଜାର ଟଙ୍କା ଓ ନ୍ୟାୟିକ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଲେ । ଅର୍ଥାତ୍ ୫୦ ପଇସାର ୨,୯୯୯,୯୯୯ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ । ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଦୁଇ ମାସ ମଧ୍ୟରେ ଭାରତୀୟ ଡାକ ବିଭାଗକୁ ଏହି କ୍ଷତିପୂରଣ ରାଶି ଦେବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.