ନ୍ୟୁୟର୍କ ୨୫/୧୨: ବିଶ୍ୱ ଅନେକ ଆଗ୍ନେୟଗିରି ଉଦ୍ଗୀରଣ ଦେଖିସାରିଲାଣି । ଆଗକୁ ଯେ କେତେ ଦେଖିବ, ତାହାର ହିସାବ ନାହିଁ । ତେବେ ଇଣ୍ଡୋନେସିଆର ମାଉଣ୍ଟ ତମ୍ବୋରା ଭଳି ଆଉ ଏକ ଅତି ଶକ୍ତିଶାଳୀ ଆଗ୍ନେୟଗିରି ଉଦ୍ଗୀରଣ ଦେଖିବାକୁ ଯାଉଛି ବିଶ୍ୱ । ଏହି ପରବର୍ତ୍ତୀ ଆଗ୍ନେୟଗିରି ଉଦ୍ଗୀରଣ ଅତ୍ୟନ୍ତ ଭୟଙ୍କର ହେବ । ଏହା ଏଭଳି ବିପର୍ଯ୍ୟୟ ଆଣିବ, ଯାହାର ସାମ୍ନା କରିବା କଷ୍ଟକର ହୋଇପଡ଼ିବ ।
ବିଶ୍ୱ ପାଣିପାଗ ଗଣିତକୁ ଏହା ଅକଳ୍ପନୀୟ ମାତ୍ରାରେ ବିଗାଡ଼ିଦେବ । ବର୍ଷା ହଜିଯିବ ଏବଂ ବରଫ ଯୁଗ ଘୋଟି ଆସିବ ବୋଲି ଏକ ସଦ୍ୟ ରିପୋର୍ଟରୁ ଜଣାପଡ଼ିଛି । ଇତିହାସ କୁହେ, ମାଉଣ୍ଟ ତମ୍ବୋରାରେ ଯେବେ ବି ଆଗ୍ନେୟଗିରି ଉଦ୍ଗୀରଣ ହୋଇଛି, ବିଶ୍ୱ ବଦଳିଛି । ବାୟୁମଣ୍ଡଳ ଭୟଙ୍କର ରୂପ ନେଇଛି । ୧୮୧୫ରେ ତମ୍ବୋରାରେ ଆସିଥିଲା ଅତି ଶକ୍ତିଶାଳୀ ଆଗ୍ନେୟଗିରି ଉଦ୍ଗୀରଣ, ଯାହା ବାୟୁମଣ୍ଡଳକୁ ବିପୁଳ ମାତ୍ରାରେ ଅନିଷ୍ଟକାରୀ ଧୂଆଁ ଛାଡ଼ିଥିଲା । ଏହି ଧୂଆଁର ସ୍ତର ଏତେ ବହଳିଆ ଥିଲା ଯେ ସୂର୍ଯ୍ୟ ଦିଶି ନ ଥିଲେ ।
ସୂର୍ଯ୍ୟଙ୍କ କିରଣ ଅନେକ ଦିନ ଧରି ନ ପଡ଼ିବାରୁ ବିଶ୍ୱ ତାପମାତ୍ରା ସାଙ୍ଘାତିକ ଭାବେ କମିଥିଲା ଏବଂ ଥଣ୍ଡା ପଡ଼ିଥିଲା ପୃଥିବୀ । ଏହି ଅସ୍ୱାଭାବିକ ପ୍ରାକୃତିକ ପରିବର୍ତ୍ତନ ବିପତ୍ତି ଆଣିଥିଲା । ମୋଟାମୋଟି ଭାବେ ଅନେକ ବର୍ଷ ଗ୍ରୀଷ୍ମ ଋତୁ ଗାଏବ ହୋଇଯାଇଥିଲା । ଗ୍ରୀଷ୍ମ ଋତୁ ବିନା ଉଦ୍ଭିଦ ଜଗତ ଅଣନିଃଶ୍ୱାସୀ ହୋଇପଡ଼ିଥିଲା । ଫସଲ ବାଧାପ୍ରାପ୍ତ ହୋଇଥିଲା । ଲୋକେ ଭୋକଉପାସରେ ଛଟପଟ ହୋଇଥିଲେ । ହଇଜା ସାଙ୍ଘାତିକ ଭାବେ ବ୍ୟାପିବାରୁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ ।
ଏହାର ପର ବର୍ଷ ଅର୍ଥାତ ୧୮୧୬ରେ ସ୍ୱିଜରଲାଣ୍ଡରେ ଅସ୍ୱାଭାବିକ ଭାବେ ଥଣ୍ଡା ପାଗ ଲୋକଙ୍କ ପକ୍ଷେ ବରଦାସ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା । ତମ୍ବୋରା ପରେ ପୃଥିବୀରେ ଅନେକ ଆଗ୍ନେୟଗିରି ଉଦ୍ଗୀରଣ ଦେଖିବାକୁ ମିଳିଛି । କିନ୍ତୁ ତମ୍ବୋରା ଏ ପର୍ଯ୍ୟନ୍ତ ସବୁଠୁ ଶକ୍ତିଶାଳୀ ପ୍ରମାଣିତ ହୋଇଛି । ତମ୍ବୋରା ଉଦ୍ଗୀରଣ ନାମ ଶୁଣିଲେ, ଜଳବାୟୁ ବିଶାରଦଙ୍କଠାରେ ଛନକା ପଶିଯାଏ । ଏଭଳି ସ୍ଥିତିରେ ବୈଜ୍ଞାନିକମାନେ ତମ୍ବୋରା ପର୍ବତ ଭଳି ଆଉ ଏକ ଅଗ୍ନି ଉଦ୍ଗୀରଣ ଆସିବା ନେଇ ପୂର୍ବାନୁମାନ ଲଗାଇଛନ୍ତି ।
ପ୍ରାୟ ୨୦୦ ବର୍ଷ ପରେ ତମ୍ବୋରା ଭଳି ପୁଣି ଏକ ବିପର୍ଯ୍ୟୟ ଆସିପାରେ । ୧୮୧୫ ଠାରୁ ଏହା ଆହୁରି ଭୟଙ୍କର ହେବ । ଚଳିତ ଶତାବ୍ଦୀରେ ଆଉ ଏକ ଅଗ୍ନି ଉଦ୍ଗୀରଣ ଆସିବାର ଆଶଙ୍କା ରହିଛି । ପ୍ରତି ୬ଟି ଆଶଙ୍କାରୁ ଗୋଟିଏ ସତ ହୋଇପାରେ ବୋଲି ବିଭିନ୍ନ ଭୂ-ବୈଜ୍ଞାନିକ ପ୍ରମାଣ ଦର୍ଶାଉଛି । ଏହି ୨୦୦ ବର୍ଷ ମଧ୍ୟରେ ଜନସଂଖ୍ୟା ଆଶାତୀତ ବଢ଼ିଥିବାରୁ ସମ୍ଭାବ୍ୟ ବଡ଼ ଆଗ୍ନେୟଗିରି ଉଦ୍ଗୀରଣ ଲକ୍ଷ ଲକ୍ଷ ଜୀବନ ନେବା ଆଶଙ୍କା କରାଯାଉଛି ।
ଏହି ସମ୍ଭାବ୍ୟ ଉଦ୍ଗୀରଣ ସୂର୍ଯ୍ୟଙ୍କୁ ଏଭଳି ଭାବେ ଗ୍ରାସ କରିବ, ଯଦ୍ଦ୍ୱାରା ଅନେକ ଦିନ ଧରି ଖରା ଦେଖିବାକୁ ମିଳିବ ନାହିଁ । ଯାହା ଜଳବାୟୁକୁ ବିଗାଡ଼ିବା ସହ ଅନେକ ମହାମାରୀ ଡାକିଆଣିବ । ଏହାର ସାମ୍ନା ପାଇଁ ଯେତେ ପ୍ରସ୍ତୁତି କଲେ ବି କମ୍ ହେବ । ମାନବତାର କୌଣସି ଆଗୁଆ ପ୍ରସ୍ତୁତି ଏହି ଉଦ୍ଗୀରଣ ସାମ୍ନାରେ ଛୋଟ ପଡ଼ିଯିବ । ବୈଜ୍ଞାନିକଙ୍କ ମୁତାବକ, ବିଶାଳ ଅଗ୍ନି ଉଦ୍ଗୀରଣ ଅନେକ ପରିବର୍ତ୍ତନ ଆଣିବାର ସାମର୍ଥ୍ୟ ରଖିଛି । ସେଗୁଡ଼ିକ ମହାଦେଶ ସୃଷ୍ଟିରେ ସହାୟକ ହୋଇପାରିବ ।
ଜଳବାୟୁ ସୃଷ୍ଟି ସହ ଜଳବାୟୁକୁ ବଦଳାଇ ପାରିବ । ଅଗ୍ନି ଉଦ୍ଗୀରଣ ହେବା ଦ୍ୱାରା ଭୟଙ୍କର ଲାଭା ନିର୍ଗତ ହେବା ସହ ପାହାଡ଼ ଭଳି ପାଉଁଶ ଓ ବୃହତ ଆକାରର ବହଳିଆ ଧୂଆଁ ନିର୍ଗତ କରିଥାଏ । ଏହି ଧୂଆଁରେ ବିପୁଳ ମାତ୍ରାର ଅଙ୍ଗାରକାମ୍ଳ ବାଷ୍ପ ଭରି ରହିବା କାରଣରୁ ପୃଥିବୀ ଉପରେ କୁପ୍ରଭାବ ପକାଇଥାଏ । ଏହାବ୍ୟତୀତ ଏକ ବିରାଟ ଆଗ୍ନେୟଗିରି ଉଦ୍ଗୀରଣ ପ୍ରଚୁର ମାତ୍ରାର ସଲ୍ଫର ଡାଇଅକ୍ସାଇଡ କ୍ଷୋଭମଣ୍ଡଳକୁ ଛାଡ଼ିଥାଏ । କ୍ଷୋଭମଣ୍ଡଳ ହେଉଛି ବାୟୁମଣ୍ଡଳର ସେହି ସ୍ଥାନ ଯେଉଁଠାରେ ପାଣିପାଗ ଆକାର ନେଇଥାଏ ।
ଏହାଛଡ଼ା ପୃଥିବୀ ପୃଷ୍ଠ ଉପରେ ୭ ମାଇଲ ଉଚ୍ଚତାରେ ଥିବା ସମତାପ ମଣ୍ଡଳକୁ ମଧ୍ୟ ଏହା ସଲ୍ଫର ଡାଇଅକ୍ସାଇଡ୍ ଛାଡ଼ିଥାଏ । ଏହା କୋଟି କୋଟି କ୍ଷୁଦ୍ର କଣିକା ସୃଷ୍ଟି କରିଥାଏ, ଯାହା ସୂର୍ଯ୍ୟ କିରଣକୁ ଗ୍ରାସ କରେ । ଏହି କଣିକାଗୁଡ଼ିକ ବର୍ଷ ବର୍ଷ ଧରି ପୃଥିବୀର ବିଭିନ୍ନ ସ୍ଥାନରେ ତିଷ୍ଠିରହିବା କାରଣରୁ ପୃଥିବୀ ଅସ୍ୱାଭାବିକ ଭାବେ ଥଣ୍ଡା ପଡ଼ିଥାଏ । ଆଧୁନିକ ଆଗ୍ନେୟ ଉଦ୍ଗୀରଣ କ୍ଷେତ୍ରରେ ଉପଗ୍ରହ ତଥ୍ୟ ଦର୍ଶାଉଛି ଯେ ଏଥିରୁ କେତେ ମାତ୍ରାରେ ସଲ୍ଫର ଡାଇଅକ୍ସାଇଡ୍ ନିର୍ଗତ ହେଉଛି ।
୧୯୯୧ରେ ଫିଲିପାଇନ୍ସରେ ଯେତେବେଳେ ‘ମାଉଣ୍ଟ ପିନାଟୁବୋ’ରୁ ଆଗ୍ନେୟଗିରି ଉଦ୍ଗୀରଣ ହୋଇଥିଲା, ସେତେବେଳେ ଏହା ସମତାପ ମଣ୍ଡଳକୁ ପ୍ରାୟ ୧୫ ନିୟୁତ ଟନ ସଲ୍ଫର ଡାଇଅକ୍ସାଇଡ ଛାଡ଼ିଥିଲା । ତମ୍ବୋରା ଭଳି ଏହା ଏତେ ଶକ୍ତିଶାଳୀ ନ ଥିବା ସତ୍ତେ୍ୱ ଏହା ବର୍ଷ ବର୍ଷ ଧରି ପୃଥିବୀକୁ ପ୍ରାୟ ୦.୫ ଡିଗ୍ରୀ ସେଲସିୟସ ଥଣ୍ଡା କରିଦେଇଥିଲା । ୟୁନିଭର୍ସିଟି ଅଫ ଜେନେଭାର ଜଳବାୟୁ ପ୍ରଫେସର ମାର୍କସ ଷ୍ଟୋଫେଲଙ୍କ ମୁତାବକ, ପୁରୁଣା ଆଗ୍ନେୟଗିରି ଉଦ୍ଗୀରଣ ବାବଦରେ ଆମ ପାଖରେ କମ୍ ତଥ୍ୟ ରହିଛି । ବୈଜ୍ଞାନିକମାନେ ଏହାର ଭୟାବହତାକୁ ଭଲ ଭାବେ ମାପିବା ପାଇଁ ବ୍ୟାପକ ଗବେଷଣା ଚଳାଇଛନ୍ତି ।
ବରଫ ପାହାଡ଼ରୁ ବି ସେମାନେ ଉଦ୍ଗୀରଣ ତଥ୍ୟ ସଂଗ୍ରହ କରୁଛନ୍ତି । ଏଥିରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ ବିଗତ ଅନେକ ହଜାର ବର୍ଷ ମଧ୍ୟରେ ଆସିଥିବା ଅଗ୍ନି ଉଦ୍ଗୀରଣ ଯୋଗୁ ପୃଥିବୀ ପ୍ରାୟ ୧ରୁ ୧.୫ ଡିଗ୍ରୀ ସେଲସିୟସ୍ ଥଣ୍ଡା ହୋଇଛି । ଉଦାହରଣ ସ୍ୱରୂପ ତମ୍ବୋରା ବିଶ୍ୱ ତାପମାତ୍ରାକୁ ହାରାହାରି ୧ ଡିଗ୍ରୀ ସେଲସିୟସ କମାଇ ଦେଇଥିଲା । ସେହିଭଳି ୧୨୫୭ରେ ଇଣ୍ଡୋନେସିଆରେ ଆସିଥିବା ବିଶାଳ ସାମାଲାସ ଆଗ୍ନେୟଗିରି ଉଦ୍ଗୀରଣ ଏକ ବରଫ ଯୁଗ ଆଣିବାରେ କାରଣ ସାଜିଥିଲା ।
ଶହ ଶହ ବର୍ଷ ଧରି ଏହା ଜାରି ରହିଥିଲା । ତମ୍ବୋରା ଭଳି ବିଶାଳ ଆଗ୍ନେୟଗିରି ଉଦ୍ଗୀରଣ ବର୍ଷା ଉପରେ ସାଙ୍ଘାତିକ ପ୍ରଭାବ ପକାଇପାରେ । ଶୁଷ୍କ ମୌସୁମୀର ଏହା କାରଣ ସାଜିପାରେ । ଆଫ୍ରିକା ଓ ଏସିଆ ଏହାଯୋଗୁ ଅଧିକ ପ୍ରଭାବିତ ହେବେ । ରଟ୍ଗର୍ସ ୟୁନିଭର୍ସିଟିର ଜଳବାୟୁ ପ୍ରଫେସର ଆଲାନ୍ ରୋବକ୍ଙ୍କ ମୁତାବକ, ସମୁଦ୍ର ତୁଳନାରେ ଭୂପୃଷ୍ଠ ଅଧିକ ଉଷ୍ମ ହେବା ଯୋଗୁ ଗ୍ରୀଷ୍ମ ଋତୁରେ ମୌସୁମୀ ବାୟୁ ଆସିଥାଏ ।
ବଡ଼ ଆଗ୍ନେୟଗିରି ଉଦ୍ଗୀରଣ ଯୋଗୁ ସମୁଦ୍ର ଓ ଭୂମି ମଧ୍ୟରେ ଥିବା ତାପମାତ୍ରା ଜନିତ ପାର୍ଥକ୍ୟ ବିଗିଡ଼ିପାରେ । ନ୍ୟୁୟର୍କ ୟୁନିଭର୍ସିଟି ପ୍ରଫେସର ମାଇକେଲ ରାମ୍ପିନୋ କହିଛନ୍ତି, ବର୍ତ୍ତମାନ ବିଶ୍ୱ ଅଧିକ ଅସ୍ଥିର ରହିଛି । ତମ୍ବୋରା ଭଳି ବିଶାଳ ଅଗ୍ନି ଉଦ୍ଗୀରଣ ଆସିଲେ ଏହାର ପ୍ରଭାବ ୧୮୧୫ ତୁଳନାରେ ଅତ୍ୟଧିକ ସାଙ୍ଘାତିକ ହୋଇପାରେ । ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗ୍ନେୟଗିରି ଉଦ୍ଗୀରଣ ବ୍ୟବସ୍ଥାରେ ବି ପରିବର୍ତ୍ତନ ଦେଖିବାକୁ ମିଳୁଛି । ବରଫ ତରଳିବା ମାତ୍ରା ବଢ଼ିବା ଦ୍ୱାରା ଅଗ୍ନି ଉଦ୍ଗୀରଣ ଆଶଙ୍କା ବି ବୃଦ୍ଧି ପାଇପାରେ ।
ଆଉ କିଛି ବିଶେଷଜ୍ଞଙ୍କ ମୁତାବକ, ବିଶ୍ୱ ସମ୍ପ୍ରତି ବିଶ୍ୱତାପନ ସମସ୍ୟାର ସମ୍ମୁଖୀନ ହେଉଛି । ତେଣୁ ସମ୍ଭାବ୍ୟ ବିଶାଳ ଆଗ୍ନେୟଗିରି ଉଦ୍ଗୀରଣ ହେବା ଦ୍ୱାରା ଏଥିରୁ କିଛିଟା ଉପଶମ ମିଳିପାରେ । ରିପୋର୍ଟ ମୁତାବକ, ଏକ ସକ୍ରିୟ ଆଗ୍ନେୟ ଉଦ୍ଗୀରଣର ୬୦ ମାଇଲ୍ ମଧ୍ୟରେ ପ୍ରାୟ ୮୦ କୋଟି ଲୋକ ବାସ କରୁଛନ୍ତି । ଏକ ବିଶାଳ ଆଗ୍ନେୟଗିରି ଉଦ୍ଗୀରଣ ଦ୍ୱାରା ଏକ ସମ୍ପୂର୍ଣ୍ଣ ସହର ଉଭାନ ହୋଇଯାଇପାରେ । ତେବେ ଦୀର୍ଘମିଆଦୀ ଭାବେ ଏହା ଆହୁରି ସାଙ୍ଘାତିକ ହୋଇପାରେ ।