ଖାର୍କିଭ ୨୫।୧୨: ଋଷିଆ ୨୫ ଡିସେମ୍ବର ବଡ଼ଦିନରେ ୟୁକ୍ରେନ ଉପରେ ବଡ଼ଧରଣର ଆକ୍ରମଣ କରିଛି। କ୍ଷେପଣାସ୍ତ୍ର ଓ ଡ୍ରୋନରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରାଯାଇଛି। ଋଷିଆର ଏହି ଆକ୍ରମଣରେ ୟୁକ୍ରେନର ଉତ୍ତର-ପୂର୍ବ ସହର ଖାର୍କିଭ ଗୁରୁତର ପ୍ରଭାବିତ ହୋଇଛି। ଖାର୍କିଭ ମେୟର ଏ ନେଇ ଟେଲିଗ୍ରାମରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ସହର ଉପରେ ବଡ଼ ଧରଣର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ଏଥିରେ ସେ ୭ଟି ଆକ୍ରମଣ ଗଣିଛନ୍ତି ଓ ହତାହତ ସଂଖ୍ୟା ଏବେ ଆକଳନ କରାଯାଉଛି ବୋଲି ଉଲ୍ଲେଖ କରିଛନ୍ତି ।
ଖାର୍କିଭ ସହର ଋଷ ସୀମାରୁ ମାତ୍ର ୩୦ କିଲୋମିଟର ଦୂରରେ ଅବସ୍ଥିତ। ପାଖାପାଖି ୩ ବର୍ଷ ହେବା ଚାଲିଥିବା ଏହି ଯୁଦ୍ଧରେ ଏହି ସହର ଲଗାତାର ଆକାଶୀୟ ଆକ୍ରମଣର ଶିକାର ହେଉଛି। ୨୦୨୨ରେ ଋଷିଆ ଆକ୍ରମଣ ପରଠାରୁ ପ୍ରଥମ ଥର ବଡ଼ଦିନ ଛୁଟି ପାଇଁସହରକୁ ଆକର୍ଶକ ଭାବେ ସଜା ଯାଇଥିଲା। ଋଷିଆ ଏବେ ୟୁକ୍ରେନର ଆଭ୍ୟନ୍ତରୀଣ ଅଞ୍ଚଳକୁ ଟାର୍ଗେଟ କରୁଛି। ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ପୁଟିନ ଯେତେ ସମ୍ଭବ ୟୁକ୍ରେନ କ୍ଷେତ୍ରକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରୁଛନ୍ତି।
ଏହି ଆକ୍ରମଣ ପାଇଁ ଋଷୀୟ ବୋମାବର୍ଷି ବିମାନ ଟିୟୁ-୯୫ ରାତିରେ ଉଡାଣ କରିଥିଲେ। ଏହାଛଡା ବ୍ଲାକ୍ ସିରେ କାଲିବର କ୍ରୁଜ ମିସାଇଲ ଲଞ୍ଚ କରାଯାଇଥିଲା। ତେବେ ଆରମ୍ଭରେ ଜଣାପଡିନଥିଲା ଋଷିଆ କେଉଁ ଆଡକୁ କ୍ଷେପଣାସ୍ତ୍ର ମାଡ଼ କରୁଛି। ଗଭର୍ଣ୍ଣର ଓଲେହ ସିନିହୁବୋଭ କହିଛନ୍ତି ଯେ ଏହି ଆକ୍ରମଣ ଯୋଗୁ ଅନେକ ସ୍ଥାନରେ ନିଆଁ ଲାଗିଯାଇଛି ଓ ବ୍ୟାପକ ଭିତିଭୂମି କ୍ଷୟକ୍ଷତି ହୋଇଛି। ଏହା ପୂର୍ବରୁ ଋଷିଆ ଡିସେମ୍ବର ୨୦ ତାରିଖରେ ରାଜଧାନୀ କିଭ ଉପରକୁ ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଫଳରେ ଅନେକ ବିଲ୍ଡିଂର ନିଆଁ ଲାଗିଯାଇଥିଲା ଓ ଲୋକେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରୁ ବିଦେଶୀ ଦୂତାବାସ ମଧ୍ୟ ବର୍ତ୍ତି ନଥିଲା।