ଭଡା ଘରେ ଚାଲିଥିଲା ଦେହ ବ୍ୟବସାୟ, ପୋଲିସ ଆଗରେ ସତ ମାନିଲେ ଦମ୍ପତି

Published By : Prameya-News7 Bureau | November 25, 2024 IST

କଟକ ୨୫/୧୧: ବାଂଲାଦେଶରୁ ଜଣେ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଇଥିବା ଅଭିଯୋଗରେ ଦମ୍ପତ୍ତିଙ୍କୁ ଗିରଫ କରିଛି ମଧୁପାଟଣା ପୋଲିସ । ଅଭିଯୁକ୍ତ ଦୁହେଁ ହେଲେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ରହୁଥିବା ରାଜସ୍ଥାନର ୫୫ ବର୍ଷିୟ ବୀରା ଗୁଜ୍ଜର ଚୌଧୁରୀ ଓ ତାଙ୍କ ପତ୍ନୀ ୩୬ ବର୍ଷୀୟ ଯସ୍ମିନ୍‌ । 

ଅଭିଯୁକ୍ତ ଦମ୍ପତ୍ତି କିଛିଦିନ ହେବ ନାବାଳିକାଙ୍କୁ ଅନ୍ୟ ଜଣେ ଦଲାଲ୍‌ଠାରୁ ଆଣିଥିଲେ । ସୋମବାର ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯିବ ବୋଲି ପୋଲିସ ସୂଚନା ଦେଇଛି । ପୋଲିସ ନିକଟରେ ପୀଡ଼ିତା ଦେଇଥିବା ବୟାନ ଅନୁସାରେ ଦଶହରା ପୂର୍ବରୁ କିଛି ଦଲାଲ୍‌ ବାଂଲାଦେଶରୁ ତାଙ୍କୁ ବେଆଇନ ଭାବେ ସୀମା ପାର୍‌ କରି କୋଲକାତା ଆଣିଥିଲେ । ସେଠାରୁ କିଛି ଯୁବକ ପୀଡ଼ିତାଙ୍କୁ ବସ୍‌ ଯୋଗେ ଭୁବନେଶ୍ୱର ଆଣିଥିଲେ । 

ଭୁବନେଶ୍ୱରରେ ସେ ପ୍ରାୟ ୧୫ ଦିନରୁ ଅଧିକ ସମୟ ରହିଥିଲେ । ପରେ ତାଙ୍କୁ ବାରିପଦା ନିଆଗଲା । ଏହା ପରେ ପୁଣି ସେ ଭୁବନେଶ୍ୱର ଆସିଲେ । ସେଠାରେ  ମସାଜ୍‌ ସେଣ୍ଟରରେ ରଖିବା ବାହାନାରେ ଦେହ  ବ୍ୟବସାୟରେ ନିୟୋଜିତ କରାଯାଉଥିଲା । ଗତ ୭ ତାରିଖରେ ଭୁବନେଶ୍ୱରର ଦଲାଲ୍‌ ନାବାଳିକାଙ୍କୁ ଗୋପାଳପୁରରେ ରହୁଥିବା ବୀରା ଓ ଯସ୍ମିନ୍‌ଙ୍କୁ ବିକିଦେଇଥିଲେ । ପୀଡ଼ିତାଙ୍କୁ ସ୍ୱାମୀ-ସ୍ତ୍ରୀ ନେଇ ଗୋପାଳପୁର ଆସିଲେ । ମାତ୍ର ସେଠାରେ ଦମ୍ପତି ନାବାଳିକାଙ୍କୁ ଦେହ ବ୍ୟବସାୟରେ ଲଗାଇଲେ । 

ଏହା ସହିତ  ଘରର ବିଭିନ୍ନ କାମ କରାଇବା ସହ ନିର୍ଯାତନା ଦେଉଥିଲେ । ଏହାକୁ ନେଇ ପାଟିତୁଣ୍ଡ ମଧ୍ୟ  ହୋଇଥିଲା । ନାବାଳିକା ଜଣକ ରାତି ଅଧରେ ଲୁଚି ଘରୁ ପଳାଇ ଆସିଲେ । କାଠଯୋଡ଼ି  ପୋଲ ପାରି ମଧୁପାଟଣା ଥାନା ନିକଟରେ  ଯାଉଥିବା ବେଳେ ପିସିଆର୍‌ ଟିମ୍‌ ପୀଡ଼ିତାଙ୍କୁ ଉଦ୍ଧାର କରି ବସୁନ୍ଧରାରେ ଛାଡ଼ିଥିଲା । ସେଠାରେ କାଉନ୍‌ସେଲିଂରେ ପୀଡ଼ିତା ସବୁ  କଥା କହିଥିଲେ । ଏହା ପରେ ପୀଡ଼ିତାଙ୍କୁ ସିଡବ୍ଲୁସିରେ ହାଜର କରଗଲା । 

ସିଡବ୍ଲୁସି  ପୀଡ଼ିତାଙ୍କଠାରୁ ସବୁ ଶୁଣିବା ପରେ ଚିଠି ଯୋଗେ କଟକ ଡିସିପିଙ୍କୁ ଅବଗତ କରାଇଲା । ଏହି ଅନୁସାରେ ମଧୁପାଟଣା ଥାନାରେ ମାମଲା ରୁଜୁ କରାଯାଇଥିଲା । ଉକ୍ତ ରାତିରେ ପୀଡ଼ିତାଜଣକ କୋଲକତା ବସ୍‌ରେ ଫେରିଯିବାକୁ ଚାହୁଁଥିଲେ ବୋଲି ବୟାନ ଦେଇଛନ୍ତି । ଅଭିଯୁକ୍ତ ବୀରା ଓ ଯସ୍ମିନ୍‌ଙ୍କ ନାଁ ସିଡବ୍ଲୁସି ଏବଂ ମଧୁପାଟଣା ଥାନା ପୋଲିସ ସମ୍ମୁଖରେ ପୀଡ଼ିତା କହିବାରୁ ଦୁଇ ଜଣଙ୍କୁ  ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଡିସିପି ଜଗମୋହନ  ମୀନା ସୂଚନା ଦେଇଛନ୍ତି । 

ତେବେ ପୀଡ଼ିତାଙ୍କୁ  ବାଂଲାଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ପୋଲିସ କହୁଥିଲେ ବି ତାହା ଏତେ ସରଳ ନୁହେଁ । ପୀଡ଼ିତାଙ୍କର ପାସ୍‌ପୋର୍ଟ  କିମ୍ବା ଭିସା ନାହିଁ । ବେଆଇନ ଭାବେ ସେ ଭାରତକୁ ଆସିଛନ୍ତି । ତେଣୁ ପୀଡ଼ିତାଙ୍କୁ ଫେରାଇବାରେ ଆଇନ ଅଡ଼ୁଆ କରୁଛି ।  ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହିତ  ଯୋଗାଯୋଗ କରାଯାଉଥିବା ପୁଲିସ କହିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.