ନୂଆଦିଲ୍ଲୀ ୨୨।୧୧: ଗୁଜରାଟର ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପ୍ରବଚକ ଆଶାରାମଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଗୁଜରାଟ ସରକାରଙ୍କୁ ନୋଟିସ୍ କରିଛନ୍ତି। ଏହି ନୋଟିସ୍ ଅନୁସାରେ ଗୁଜରାଟ ସରକାର ୩ ସପ୍ତାହ ମଧ୍ୟରେ ମାମଲାର ଜବାବ ରଖିବେ। ଆଶାରାମ ତାଙ୍କ ଆବେଦନରେ ଆଜୀବନ କାରାଦଣ୍ଡାଦେଶକୁ ନିଲମ୍ବିତ କରିବା ଓ ତାଙ୍କୁ ଜାମିନ ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।
୮୬ ବର୍ଷ ବୟଷ୍କ ଆଶାରାମ ପାଖାପାଖି ୧୧ ବର୍ଷ ଜେଲରେ କଟାଇଲେଣି। ଏହି ମାମଲାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହି ଖରାପ ସ୍ୱାସ୍ଥ୍ୟ ଆଧାରରେ ଜାମିନ ନିବେଦନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କ ନିବେଦନ ଉପରେ କେବଳ ମେଡିକାଲ ଗ୍ରାଉଣ୍ଡରେ ଅନ୍ତରୀଣ ଜାମିନ ଉପରେ ବିଚାର କରିପାରିବେ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଆଶାରାମଙ୍କ ବିରୋଧରେ ଯେଉଁ ମାମଲା ରହିଛି ତାହା ପକସୋ ଆକ୍ଟ ଅନ୍ତର୍ଗତ ଗୁରୁତର ମାମଲା। ଏଣୁ ଆମେ ଏହା ଉପରେ ବିଚାର କରିବୁ ଆଶାରାମଙ୍କୁ ଖରାପ ସ୍ୱାସ୍ଥ୍ୟ କାରଣରୁ ଅନ୍ତରୀଣ ଜାମିନ ଦିଆଯାଇପାରିବ କି?
ଆଶାରାମଙ୍କ ଏହି ଜାମିନ ନିବେଦନ ଉପରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ନୋଟିସ୍ ଜାରି କରି ୩ ସପ୍ତାହରେ ଜବାବ ରଖିବାକୁ କହିଛନ୍ତି। ଏହା ପୂର୍ବରୁ ଗୁଜରାଟ ହାଇକୋର୍ଟ ଅଗଷ୍ଟ ୨୯ ତାରିଖରେ ଆଶାରାମଙ୍କ ସେହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ଯଉଁଥିରେ ସେ ୨୦୨୩ରେ ଗାନ୍ଧିନଗର କୋର୍ଟ ଶୁଣାଇଥିବା ଆଜୀବନ କାରାଦଣ୍ଡକୁ ନିଲମ୍ବିତ କରିବାକୁ ନିବେଦନ କରିଥିଲେ। ହାଇକୋର୍ଟ ଦଣ୍ଡକୁ ସସପେଣ୍ଡ କରିବା ଓ ତାଙ୍କ ଜାମିନ ନିବେଦନକୁ ଅସ୍ୱୀକାର କରି କହିଥିଲେ ଯେ ଆଶ୍ୱସ୍ତ କରିବାର କୌଣସି କାରଣ ବି ନାହିଁ।
ଉଲ୍ଲେଖଯୋଗ୍ୟ ଯେ ୨୦୨୩ ମସିହାରେ ଦୌରାଜଜ କୋର୍ଟ ୨୦୧୩ ଦୁଷ୍କର୍ମର ଏକ ମାମଲାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ମାମଲା ଜଣେ ମହିଳା ରୁଜୁ କରିଥିଲେ, ଯିଏ ଅପରାଧ ସମୟରେ ଗାନ୍ଧି ନଗର ନିକଟସ୍ଥ ଆଶାରାମଙ୍କ ଆଶ୍ରମରେ ରହୁଥିଲେ। ବର୍ତ୍ତମାନ ଆଶାରାମ ଯୋଦ୍ଧପୁରରେ ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ବନ୍ଦୀ ଅଛନ୍ତି। ହାଇକୋର୍ଟ କହିଥିଲେ ତାଙ୍କ ଆବେଦନର ସମାଧାନରେ ସମ୍ଭାବିତ ବିଳମ୍ବ ତାଙ୍କ ବୟସ ଓ ଚିକିତ୍ସା ସ୍ଥିତି ସମ୍ପର୍କରେ ତାଙ୍କର ତର୍କ ଆଶ୍ୱସ୍ତି ପ୍ରଦାନ ନିମନ୍ତେ ପ୍ରାସଙ୍ଗିକ ନୁହେଁ।