ମଣିପୁରକୁ ଅତିରିକ୍ତ ୧୦,୦୦୦ ଯବାନ ପଠାଇବେ କେନ୍ଦ୍ର ସରକାର, ସବୁ ସମ୍ୱେଦନଶୀଳ ସ୍ଥାନରେ ହେବେ ମୁତୟନ

Published By : Prameya-News7 Bureau | November 22, 2024 IST

ନୂଆଦିଲ୍ଲୀ: ଜାତିଗତ ହିଂସାରେ ଜଳୁଥିବା ମଣିପୁରରେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ୧୦,୦୦୦ରୁ ଅଧିକ ଅତିରିକ୍ତ ଯବାନଙ୍କୁ ପଠାଇବେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ କେନ୍ଦ୍ରୀୟ ବଳଙ୍କ ମତୟନ ସଂଖ୍ୟା ୨୮୮ କମ୍ପାନିରେ ପହଞ୍ଚିବ । ମଣିପୁରର ମୁଖ୍ୟ ସୁରକ୍ଷା ପରାମର୍ଶଦାତା କୁଳଦୀପ ସିଂହ ଇମ୍ଫାଲରେ ମିଡିଆକୁ ଏହି ସୂଚନା ଦେଇଛନ୍ତି ।

କୁଳଦୀପ ସିଂ ସୂଚନା ଦେଇ କହିଛନ୍ତି, ୯୦ କମ୍ପାନି ଅର୍ଥାତ୍ ପ୍ରାୟ ୧୦,୮୦୦ ଯବାନଙ୍କୁ ରାଜ୍ୟରେ ମୁତୟନ କରାଯିବ । ଏଥିରୁ ଅଧିକାଂଶ ଇମ୍ଫାଲରେ ପହଞ୍ଚି ସାରିଛନ୍ତି । ସେ କହିଛନ୍ତି, ଆମେ ଏହି ଯବାନମାନଙ୍କୁ ନାଗରିକଙ୍କ ଜୀବନ ଏବଂ ସମ୍ପତ୍ତି ରକ୍ଷା କରିବା ଏବଂ ସମ୍ୱେଦନଶୀଳ ଅଞ୍ଚଳ ଏବଂ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟରେ ନୀରିକ୍ଷଣ ପାଇଁ ମୁତୟନ କରାଯାଇଛି । ସମସ୍ତ କ୍ଷେତ୍ରକୁ ଆଗାମୀ କିଛି ଦିନରେ କଭର କରାଯିବ ।

କୁଳଦୀପ ସିଂହ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ଜିଲ୍ଲାରେ ନୂତନ ସମନ୍ୱୟ ପ୍ରକୋଷ୍ଠ ଏବଂ ସଂଯୁକ୍ତ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି । ସେ କହିଛନ୍ତି, ଯେଉଁ ନିୟନ୍ତ୍ରଣ କକ୍ଷ ପୂର୍ବରୁ ସଂଚାଳିତ ଅଛି, ସେଗୁଡ଼ିକର ସମୀକ୍ଷା କରାଯାଇଛି ଏବଂ ଦକ୍ଷତା ବଢାଇବା ପାଇଁ ପ୍ରୟାସ କରାଯାଉଛି ।

ମଣିପୁରରେ ଗତ କିଛି ମାସରେ ଜାତିଗତ ସିଂହ ଘଟଣା ଲଗାତାର ବଢିବାରେ ଲାଗିଛି । କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ସ୍ଥିତିକୁ ପୂର୍ବାବସ୍ଥାକୁ ଫେରାଇବା ପାଇଁ ପ୍ରୟାସ କରୁଛନ୍ତି । ଗତ ସପ୍ତାହରେ ପାହାଡ଼ି ଜିଲ୍ଲା ଜିରୀବାମରେ କଂଗ୍ରେସ ଏବଂ ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଛି । ଶନିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ପୈତୃକ ଘର ଉପରେ ଆନ୍ଦୋଳନକାରୀଙ୍କ ଆକ୍ରମଣ ଉଦ୍ୟମକୁ ସୁରକ୍ଷାବଳ ପଣ୍ଡ କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.