ମହାୟୁତି ଜିତିଲେ ଦେବେନ୍ଦ୍ର ଫଡ଼ନାଭିସ୍ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ, ମୋହନ ଭାଗବତଙ୍କୁ ଭେଟିବା ପରେ ଚର୍ଚ୍ଚା ଜୋର୍

Published By : Prameya-News7 Bureau | November 22, 2024 IST

ମୁମ୍ବାଇ: ମହାରାଷ୍ଟ୍ରର ୨୮୮ ଆସନ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୨୦ରେ ମତାଦନ ଶେଷ ହୋଇଛି । ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ । ରେଜଲ୍ଟ ଆସିବା ସହ କିଏ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ । ତେବେ ମତଦାନ ଶେଷ ପରେ ଅନେକ ସଂସ୍ଥା ଦ୍ୱାରା ଜାରି ଏକଜିଟ୍ ପୋଲରେ, ମହାରାଷ୍ଟ୍ରରେ ମହାୟୁତି ସରକାର ଆସିବା ନେଇ ଅନୁମାନ କରାଯାଇଛି । ଏବେ ପ୍ରଶ୍ନ ଯେ, ଯଦି ମହାୟୁତି ସରକାର ଗଢ଼େ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ? 

ଏହାରି ଭିତରେ ବରିଷ୍ଠ ବିଜେପି ନେତା ଏବଂ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ନାଗପୁରରେ ସଂଘ ମୁଖ୍ୟାଳୟରେ ପହଞ୍ଚି ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଫଡ଼ନାଭିସ୍ କିନ୍ତୁ ଏହାକୁ ସୌଜନ୍ୟ ମୂଳକ ବୋଲି କହିଛନ୍ତି । ଏକଜିଟ୍ ପୋଲ ଅନୁସାରେ ବିଜେପି ନେତୃତ୍ବାଧୀନ ମହାୟୁତି ପୂର୍ଣ୍ଣ ବହୁମତରେ ସରକାରକୁ ଫେରିପାରେ । କିନ୍ତୁ ଏକଜିଟ୍ ପୋଲକୁ ନେଇ ଆକଳନ କରେ ନାହିଁ ବୋଲି ଫଡ଼ନାଭିସ୍ କହିଛନ୍ତି । ଏହା ସହ ସେ କହିଛନ୍ତି, ଅନ୍ତିମ ପରିଣାମକୁ ଅପେକ୍ଷା କରିବାକୁ ପଡ଼ିବ । ମହାୟୁତି ବହୁମତ ପାଇବ ବୋଲି ବିଶ୍ବାସ ଅଛି ।  

ଅନ୍ୟପଟେ ଆରଏସଏସ୍ ମୁଖ୍ୟଙ୍କ ସହ ପ୍ରାୟ ୧୫ ମିନିଟ୍ ଧରି ଫଡ଼ନାଭିସ୍ ଆଲୋଚନା କରିଛନ୍ତି ।   ଶୀର୍ଷ ପଦ ପାଇଁ ଫଡ଼ନାଭିସ ସଂଘର ସମର୍ଥନ ପାଇବାକୁ ଚେଷ୍ଟା କରୁଥାଇପାରନ୍ତି ବୋଲି କେତେକ ରାଜନୈତିକ ସମୀକ୍ଷକ ଯୁକ୍ତି ବାଢ଼ିଛନ୍ତି । ସେହିଭଳି ଏଥର ମହାରାଷ୍ଟ୍ରରେ ବିଜେପି ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.