ମୁମ୍ବାଇ ୨୨।୧୧: ଆଉ ମାତ୍ର କିଛି ଘଣ୍ଟା ପରେ ମହାରାଷ୍ଟ୍ରରେ ସ୍ପଷ୍ଟ ହୋଇଯିବ କାହାର ହେବ ନୂଆ ସରକାର, କିଏ ହେବ ମୁଖ୍ୟମନ୍ତ୍ରୀ? ହେଲେ ଏହା ପୂର୍ବରୁ ଦୁଇ ପ୍ରମୁଖ ମେଣ୍ଟ ମହାବିକାଶ ଅଘାଡ଼ି ଓ ମହାଯୁତି ଯୋଡ଼ତୋଡ ଆରମ୍ଭ କରିଦେଲେଣି। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ରହିଛି। ଏଠାରେ ସରକାର ଗଢିବା ପାଇଁ ୧୪୫ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏଣୁ ୨୩ ନଭେମ୍ବର ଭୋଟଗଣନା ପୂର୍ବରୁ ବଡ଼ ଦଳମାନେ ସ୍ୱାଧୀନ ପ୍ରାର୍ଥୀ ଓ ଛୋଟଛୋଟ ଦଳଙ୍କ ସହ ସମ୍ପର୍କ କରିବା ଆରମ୍ଭ କରିଛନ୍ତି।
ମହାବିକାଶ ଅଘାଡ଼ିରେ ଏନସିପି ଶରଦ ପାୱାର, ବରିଷ୍ଠ ନେତା ଜୟନ୍ତ ପାଟିଲ ଓ କଂଗ୍ରେସର ବାଲାଶାହାବ ଥୋରାଟଙ୍କୁ ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ସେପଟେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବହୁଜନ ମହାସଂଘ ଅଧ୍ୟକ୍ଷ ପ୍ରାକାଶ ଆମ୍ବେଦକର ତାଙ୍କ ଚାଲ ଚଳେଇ ସାରିଲେଣି। ଏ ନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଯଦି କାଲି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ କୌଣସି ପାର୍ଟି ଓ ମେଣ୍ଟର ସମର୍ଥନ ଲାଗି ସଂଖ୍ୟା ମିଳିଯାଏ, ତେବେ ଆମେ ତାଙ୍କ ସହ ରହିବାକୁ ପସନ୍ଦ କରିବୁ ଯିଏ ସରକାର କରିପାରିବେ ବୋଲି ଉଲ୍ଲେଖ କରିଛନ୍ତି।
If VBA gets the numbers, tomorrow, to support a party or an alliance to form the government in Maharashtra, we will choose to be with one who can form the government.
— Prakash Ambedkar (@Prksh_Ambedkar) November 22, 2024
We will choose power! हम सत्ता में रहना चुनेंगे!
ସୂଚନା ଅନୁସାରେ ମହାରାଷ୍ଟ୍ରରେ ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୬ରେ ଶେଷ ହୋଇଯିବ। ଏଣୁ ରାଜ୍ୟରେ ସରକାର ଗଢିବା ପାଇଁ ରାଜନୈତିକ ଦଳଙ୍କ ନିକଟରେ ମାତ୍ର ୭୨ ଘଣ୍ଟାର ସମୟ ରହିବ। ନିୟମ ଅନୁସାରେ ଯଦି କୌଣସି ଗୋଟିଏ ମେଣ୍ଟକୁ ସଂଖ୍ୟାଗରିଷ୍ଠ ମତ ନ ମିଳିଲା ତେବେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ସର୍ବ ସମ୍ମତିରେ ନିଷ୍ପତ୍ତି ନେବାକୁ ପଡିବ। ନଚେତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଯିବ।