ନୂଆଦିଲ୍ଲୀ ୨୨।୧୧: ଭାରତରେ ଔଷଧ ନିୟାମକ ଏଜେନ୍ସୀ ଦ୍ୱାରା ଏକ ଏପରି ଆଇ ଡ୍ରପକୁ ମଞ୍ଜୁରୀ ଦେଇଛନ୍ତି ଯାହା ଲୋକଙ୍କୁ ରିଡିଂ ଗ୍ଲାସ୍ ବ୍ୟବହାରରୁ ମୁକ୍ତି ଦେବ। ମୁମ୍ବାଇର ଏଣ୍ଟୋଡ ଫାର୍ମାସ୍ୟୁଟିକଲସ୍ ଚାଳିଶା ଜନିତ ଦୃଷ୍ଟି ଦୋଷ (ପ୍ରେସବିଓପିଆ)ର ଚିକିତ୍ସା ଲାଗି ‘ପ୍ରେସଭୁ’ ଆଇ ଡ୍ରପ ତିଆରି କରିଛନ୍ତି। ଚାଳିଶା ଜନିତ ଦୃଷ୍ଟି ଦୋଷରେ ବିଶ୍ୱବ୍ୟାପୀ ୧୦୯ରୁ ୧୮୦ କୋଟି ଲୋକଙ୍କୁ ପ୍ରଭାବିତ କରିଥାଏ।
ବୟସ ବଢିବା ସହିତ ପ୍ରେସବିଓପିଆ ସ୍ୱଭାବିକ ଭାବେ ହୋଇଥାଏ, ଯାହା ଦ୍ୱାରା ନିକଟରେ ଥିବା ବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହୁଏ। ଏପରି ଦୃଷ୍ଟି ଦୋଷ ପ୍ରାୟତଃ ୪୦ ବର୍ଷ ପରେ ଆରମ୍ଭ ହୁଏ ଓ ୬୦ ବର୍ଷ ବୟସ ବେଳକୁ ବିଗଡି ଯାଇଥାଏ। ସେଣ୍ଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ର ସବଜେକ୍ଟ ଏକ୍ସପୋର୍ଟ କମିଟି (ଏସଇସି) ଦ୍ୱାରା ପ୍ରଥମେ ଉତ୍ପାଦକୁ ସୁପାରିଶ କରାଯିବା ପରେ ଏଣ୍ଟୋଡ ଫାର୍ମାସ୍ୟୁଟିକାଲସକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ରୁ ଚୂଡ଼ାନ୍ତ ମଞ୍ଜୁରୀ ମିଳିଯାଇଛି।
ଦାବି କରାଯାଇଛି ପ୍ରେସଭୁ ଭାରତରେ ଏପରି ପ୍ରଥମ ଆଇ ଡ୍ରପ ଯାହାକୁ ପ୍ରେସବିଓପିଆରେ ଆକ୍ରାନ୍ତ ଲୋକଙ୍କ ପଢିବା ଲାଗି ଚଷମା ଆବଶ୍ୟକତା ଦୂର କରିବା ନିମନ୍ତେ ଡିଜାଇନ କରାଯାଇଛି। ଏହା ଏକ ସାଧାରଣ ବୟସ ସମ୍ପର୍କିତ ଦୃଷ୍ଟି ଦୋଷ ଯାହା ୪୦ବର୍ଷରୁ ଅଧିକ ବୟଷ୍କ ଲୋକଙ୍କୁ ପ୍ରଭାବିତ କରିଥାଏ। ଏଣ୍ଟୋଡ ଫାର୍ମାସ୍ୟୁଟିକସ ସିଇଓ ନିଖିଲ କେ.ମସୁରକର ଏହି ଅନୁମୋଦନ ଉପରେ ଆଲୋକପାତ କରି କହିଛନ୍ତି ଯେ ‘ପ୍ରେସଭୁ ଦୀର୍ଘ ବର୍ଷର ସମର୍ପିତ ଗବେଷଣା ଓ ବିକାଶର ପରିଣାମ। ପ୍ରେସଭୁ କେବଳ ଏକ ଉତ୍ପାଦ ନୁହେଁ ଏହା ଏକ ଏପରି ସମାଧାନ ଯାହା ଲକ୍ଷଲକ୍ଷ ଲୋକଙ୍କୁ ଦୃଷ୍ଟିସ୍ୱାଧୀନତା ପ୍ରଦାନ କରିବା ସହ ଜୀବନକୁ ବେଶ୍ ଉପଭୋଗ୍ୟ କରିଛି’।
ଏହି ଔଷଧ ନା କେବଳ ପଢିବା ପାଇଁ ଚଷମା ଆବଶ୍ୟକତାକୁ ଦୂର କରୁଛି ବରଂ ଆଖିକୁ ଚିକ୍କଣ କରିବାର ଅତିରିକ୍ତ ଲାଭ ମଧ୍ୟ ଦେଉଛି। ଆଇଡ୍ରପରେ ଏକ ଉନ୍ନତ ଗତିଶୀଳ ବଫର ଟେକ୍ନୋଲଜି ରହିଛି, ଯାହା ଦୀର୍ଘକାଳ ଧରି ବ୍ୟବହାର କରିବାରେ ଲଗାତାର ପ୍ରଭାବ ଓ ସୁରକ୍ଷା ସୁନିଶ୍ଚିତ ହେଉଛି। ଡା. ଆଦିତ୍ୟ ସେଠୀ କହିଛନ୍ତି ଯେ ପ୍ରେସଭୁ ଏକ ଉନ୍ନତ ବିକଳ୍ପ ପ୍ରଦାନ କରିପାରେ, ଯାହା ମାତ୍ର ୧୫ ମିନିଟରେ ସମିପ ଦୃଷ୍ଟି ଦୋଷକୁ ଦୂର କରିପାରେ। ପ୍ରେସ୍କ୍ରିପସନ ଆଧାରିତ ଏହି ଆଇ ଡ୍ରପ ଅକ୍ଟୋବର ପ୍ରଥମ ସପ୍ତାହରୁ ଦେଶର ଔଷଧ ଦୋକାନମାନଙ୍କରେ ଉପଲବ୍ଧ ହେଲାଣି। ଏହି ଔଷଧ ୪୦ରୁ ୫୫ ବର୍ଷ ବୟସ୍କ ଲୋକଙ୍କ ହାଲୁକାରୁ ମଧ୍ୟମ ପ୍ରେସବିଓପିଆ ଚିକିତ୍ସା ନିମନ୍ତେ ଉପଯୋଗ କରା ଯାଇପାରେ।