ଯାଜପୁର ୫।୪: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାଲିଗଲା ଦମ୍ପତିଙ୍କ ଜୀବନ । ବର୍ତ୍ତିଗଲା ୪ ବର୍ଷ ପୁଅର ଜୀବନ । କୁନି ପୁଅର ଆଖି ଆଗରେ ଚାଲିଗଲା ମା’ର ଜୀବନ । ଗୁରୁତର ଥିବା ବାପାଙ୍କର ଚିକିତ୍ସାଧିନ ଅବସ୍ଥାରେ ହୋଇଛି ମୃତ୍ୟୁ । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ସୂଚନାଯୋଗ୍ୟ ଯେ, ଗୋଟିଏ ପରିବାରର ବାପା-ମା’ ଓ ତାଙ୍କର ୪ ବର୍ଷର ଶିଶୁ ପୁତ୍ର ଏକ ବାଇକ୍ରେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ହଠାତ ପୁରୁଣା ଟୋଲଗେଟ୍ ନିକଟରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଘଟଣାସ୍ଥଳରେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପୋଲିସ ସହାୟତାରେ ଗୁରୁତର ବାପାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ୪ ବର୍ଷର ଶିଶୁ ପୁତ୍ରକୁ ପାଣିକୋଇଲି ପୋଲିସ ହେପାଜତକୁ ନେଇ ଥାନାରେ ରଖିଛି ।
ଖବର ଲେଖାହେବା ଯାଏଁ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିଲା । ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପାଣିକୋଇଲି ଥାନା ପୋଲିସ ।
You Can Read:
ପୋଲିସ-ସାଧାରଣ ଜନତା ମୁହାଁମୁହିଁ, ଏବେବି ଲାଗିରହିଛି ଉତ୍ତେଜନା