କାଉଡି ଯାତ୍ରା ନେମପ୍ଲେଟ୍ ବିବାଦ: UP ସରକାର ନିରାଶ, ଜାରି ରହିଲା ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରୋକ

Published By : Prameya-News7 Bureau | July 26, 2024 IST

ନୂଆଦିଲ୍ଲୀ : କାଉଡିଆ ଯାତ୍ରା ମାର୍ଗରେ ଥିବା ଦୋକାନ ମାନଙ୍କର ନାମ ଫଳକ ଲାଗାଇବା ପାଇଁ ନିର୍ଦ୍ଦେଶ ମାମଲାରେ ଉତ୍ତରପ୍ରଦେଶ (ୟୁପି) ସରକାରଙ୍କୁ ନିରାଶ ହେବାକୁ ପଡିଛି। ଶୀର୍ଷ ନ୍ୟାୟାଳୟରେ ୟୁପି ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ରୁଜୁ ଆବେଦନ ଉପରେ ଶୁକ୍ରବାର ଶୁଣାଣି ହୋଇଥିବା ବେଳେ ସରକାରଙ୍କ ନେମପ୍ଲେଟ୍ ଲଗାଇବା ନିର୍ଦ୍ଦେଶ ଉପରେ ଜାରି ଅନ୍ତରିଣ ରହିତାଦେଶ ନିଷ୍ପତ୍ତିକୁ କୋର୍ଟ କାୟମ ରଖିଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ପାଖାପାଖି ୩ ସପ୍ତାହ ପରେ ହେବ। 

ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଚଳିତବର୍ଷ କାଉଡି ଯାତ୍ରା କାଳରେ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ। ଏବେ କୋର୍ଟ ଭବିଷ୍ୟତ ଲାଗି କୌଣସି ଆଦେଶ ଦେଇ ପାରନ୍ତି। ଏଣୁ କାଉଡିଆ ଯାତ୍ରା ମାର୍ଗରେ ପଡୁଥିବା ଦୋକାନମାନଙ୍କରେ ମାଲିକଙ୍କ ନାମ ଫଳକ ଲଗାଇବାର ଏବେ ଆଉ ଆବଶ୍ୟକତା ନାହିଁ। ତେବେ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ଯେଉଁ ଦୋକାନୀମାନେ ସେମାନଙ୍କ ଦୋକାନରେ ନିଜ ନାମ ଲେଖିବାକୁ ଇଛୁକ ସେମାନେ ଲେଖି ପାରନ୍ତି। କୋର୍ଟ ସବୁ ପକ୍ଷଙ୍କୁ ଜବାବ ରଖିବା ପାଇଁ ସମୟ ଦେଇଛନ୍ତି। ୩ ସପ୍ତାହ ପରେ ଆଗାମୀ ଶୁଣାଣି ହେବ। 

ଶୁଣାଣି କାଳରେ କୋର୍ଟଙ୍କୁ କେବଳ ଉତ୍ତରପ୍ରଦେଶ ସରକାର ଜବାବ ଦାଖଲ କରିଥିବା କୁହାଯାଇଛି। ତେବେ ସମାନ ଧରଣର ଆଦେଶ ଜାରି କରିଥିବା ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଜବାବ ଦିଆଯାଇ ନାହିଁ। ଉତ୍ତରାଖଣ୍ଡ ସରକାର ଏଥି ପାଇଁ ସମୟ ମାଗିଥିବା ବେଳେ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଓକିଲ ଆମେବି ଜବାବ ଦାଖଲ କରିବୁ ବୋଲି କହିଛନ୍ତି। ତେବେ ଆମ ରାଜ୍ୟରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଉଜ୍ଜୈନ ନଗର ପାଳିକାଙ୍କ ପକ୍ଷରୁ ଏପରି କୌଣସି ଆଦେଶ ଗୃହୀତ କରାଯାଇ ନାହିଁ ବୋଲି କହିଛନ୍ତି। ସେହିପରି ଦିଲ୍ଲୀ ସରକାରଙ୍କ ଓକିଲ ଆମ ପକ୍ଷରୁ କାଉଡିଆ ମାର୍ଗରେ ଏପରି କୌଣସି ନାମଫଳକ ଲଗାଇବା ନେଇ ନିର୍ଦ୍ଦେଶ ଦିଆଯାଇ ନଥିବା କହିଛନ୍ତି। 

ଶୁଣାଣିରେ କୋର୍ଟଙ୍କୁ କାଉଡିଆଙ୍କ ପକ୍ଷରୁ ମଧ୍ୟ ଏକ ଆବେଦନ ଦିଆଯାଇଥିବା କୁହାଯାଇଥିଲା। ତେବେ ୟୁପି ସରକାରଙ୍କ ଓକିଲ ମୁକୁଲ ରୋହତଗୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଉପରେ ଏକତରଫା ରହିତାଦେଶ ଜାରି କରାଯାଇଛି। ଏହି ମାମଲାର ତୁରନ୍ତ ଶୁଣାଣି ହେବା ଦରକାର, କାରଣ ଯାତ୍ରା ଶେଷ ହୋଇଯିବ। ଏହାର ଜବାବରେ ଆବେଦନକାରୀଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ ଗତ ୬୦ ବର୍ଷରେ ଏଭଳି ଆଦେଶ କେବେ ଦିଆଯାଇନଥିଲା।  ଯଦି ଏବର୍ଷ ଲାଗୁ ହୋଇ ନ ପାରିଲା ତ କିଛି ଅସୁବିଧା ହୋଇ ଯିବନି। କୋର୍ଟ ବିସ୍ତାର ପୂର୍ବକ ଶୁଣିବା ପରେ ନିଷ୍ପତ୍ତି କରନ୍ତୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.