୩ ମାସରେ ତିନୋଟି ପର୍ଯ୍ୟାୟରେ ନିର୍ମାଣ ହୋଇଛି ନ୍ୟାୟ ଦେବୀଙ୍କ ମୂର୍ତ୍ତି, CJIଙ୍କ କ'ଣ ଥିଲା ନିର୍ଦ୍ଦେଶ କହିଲେ ଶିଳ୍ପୀ ବିନୋଦ

Published By : Prameya-News7 Bureau | October 17, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜଜ୍‌ଙ୍କ ପାଠାଗାରରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି । ନୂଆ ପ୍ରତିମୂର୍ତ୍ତିରେ ନ୍ୟାୟର ଦେବୀଙ୍କ ଆଖିରୁ ପଟି ହଟାଯାଇଛି । ଏହାସହ ହାତରେ ଖଣ୍ଡା ପରିବର୍ତ୍ତେ ସମ୍ୱିଧାନ ରହିଛି । ଅନ୍ୟ ହାତରେ ପୂର୍ବପରି ନିକିତି ରହିଛି । ଏହା ବ୍ୟତୀତ ପ୍ରତିମୂର୍ତ୍ତିର ବସ୍ତ୍ର ମଧ୍ୟ ପରିବର୍ତ୍ତନ କରାଯାଇଛି । ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିର୍ଦ୍ଦେଶରେ ଶିଳ୍ପୀ ବିନୋଦ ଗୋସ୍ୱାମୀ ଏହି ମୂର୍ତ୍ତିକୁ ନିର୍ମାଣ କରିଛନ୍ତି । ସେ କହିଛନ୍ତି ଯେ ତିନି ମାସ ପରିଶ୍ରମ କରି ଏହି ପ୍ରତିମୂର୍ତ୍ତି ନିର୍ମାଣ କରିଛି । ଗୋସ୍ୱାମୀ କହିଛନ୍ତି ଯେ ମୋତେ ଏହି ପ୍ରତିମୂର୍ତ୍ତି ନିର୍ମାଣର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ।

NDTVକୁ ପ୍ରତିକ୍ରିୟା ଦେଇ ବିନୋଦ ଗୋସ୍ୱାମୀ କହିଛନ୍ତି ଯେ ଏହି ପ୍ରତିମୂର୍ତ୍ତିକୁ ତିନି ମାସରେ ତିନୋଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି । ସେ କହିଛନ୍ତି ଯେ ପ୍ରଥମେ ଏକ ଚିତ୍ର ଅଙ୍କାଗଲା, ଏହାପରେ ଛୋଟିଆ ପ୍ରତିମୂର୍ତ୍ତି କରାଗଲା । ସିଜେଆଇଙ୍କୁ ପ୍ରତିମୂର୍ତ୍ତି ପସନ୍ଦ ଆସିବା ପରେ ଛଅ ଫୁଟ୍ ଉଚ୍ଚର ବଡ଼ ପ୍ରତିମୂର୍ତ୍ତି ନିର୍ମାଣ କରାଗଲା । ବିନୋଦ କହିଛନ୍ତି ଯେ ସିଜେଆଇଙ୍କ ମାର୍ଗଦର୍ଶନ ଅନୁସାରେ ନ୍ୟାୟ ଦେବୀଙ୍କ ନୂଆ ମୂର୍ତ୍ତି ନିର୍ମାଣ କରାଯାଇଛି । ସେ କହିଛନ୍ତି, 'ସିଜେଆଇ କହିଥିଲେ ଯେ ନୂଆ ମୂର୍ତ୍ତି ଭାରତର ଐତିହ୍ୟ, ସମ୍ୱିଧାନ ଏବଂ ପ୍ରତୀକ ସହ ଯୋଡ଼ି ହୋଇଥିବ । ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତିକୁ ଗାଉନ ପରିବର୍ତ୍ତେ ଶାଢୀ ପିନ୍ଧାଯାଇଛି । ନୂଆ ପ୍ରତିମୂର୍ତ୍ତିକୁ ଫାଇବର ଗ୍ଲାସରେ ନିର୍ମାଣ କରାଯାଇଛି ।'

ବିନୋଦ ଗୋସ୍ୱାମୀ ଦିଲ୍ଲୀର କଲେଜ ଅଫ୍ ଆର୍ଟରେ ଚିତ୍ରକଳାର ପ୍ରଫେସର ଅଛନ୍ତି । ନିଜ କଳାରେ ରାଜସ୍ଥାନୀ ଏବଂ ବ୍ରଜ ପରମ୍ପରାକୁ ସୁନ୍ଦର ଭାବେ ଚିତ୍ରଣ କରିବା ପାଇଁ ବିନୋଦ ଦେଶରେ ପରିଚିତ । ରାଜସ୍ଥାନ ସ୍କୁଲ୍ ଅଫ୍ ଆର୍ଟ୍ସରୁ ସ୍ନାତକ ହାସଲ କରିବା ପରେ ଦିଲ୍ଲୀ କଲେଜ ଅଫ୍ ଆର୍ଟ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ବିନୋଦ ଗୋସ୍ୱାମୀ ରେଖାଚିତ୍ର, ଭିତ୍ତିଚିତ୍ର, ମୂର୍ତ୍ତିକଳା ଏବଂ ଚିତ୍ରାଙ୍କନରେ ନିପୁଣ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.