ଯାଜପୁର ୫।୧: ଯାଜପୁର ପାଣିକୋଇଲିରେ ସୁନା ଦୋକାନରୁ ଲୁଟ୍ ଓ ଗୁଳିକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ତନାଘନା । କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଏବଂ ଯାଜପୁର ଏସ୍ପି ୟଶ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଘଟଣାର ଜୋରଦାର ତଦନ୍ତ ଚାଲିଛି । ପୋଲିସ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ନେଇଛି । ରବିବାର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ର ୩ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ପୋଲିସ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରିଛି । ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛ । ଫେରାର ଥିବା ବାକି ଲୁଟେରାଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଚାଲିଛି । ସେପଟେ ଲୁଟେରାଙ୍କ ଗୁଳିରେ ମୃତ ବିଦ୍ୟୁତ କର୍ମଚାରୀ ନୀଳମାଧବ ପଣ୍ଡାଙ୍କ ମୃତଦେହ ତାଙ୍କ ଗାଁ ସୋତିକୁ ଶୋଭାଯାତ୍ରାରେ ନିଆଯାଇଛି । ମୃତଦେହ ଗାଁରେ ପହଞ୍ଚିବା ପରେ ସେଠାରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ନୀଳମାଧବ ପଣ୍ଡା ଘରର ଏକମାତ୍ର ରୋଜଗାରକ୍ଷମ ଥିଲେ । ତେଣୁ ରୋଜଗାରିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।
ଦୁଇ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁତର ଆହତଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ଧରାପଡିଥିବା ୨ ଲୁଟେରା ବିହାରର ବୋଲି ପ୍ରାଥମିକ ସୂଚନା ରହିଛି । ଦୁଇ ଲୁଟେରାଙ୍କର ପୋଲିସ ସୁରକ୍ଷାରେ କଟକ ଏସ୍ସିବିରେ ଚିକିତ୍ସା ଚାଲିଛି । ଲୁଟେରାଙ୍କ ଗୁଳିରେ ଗୁରୁତର ଥିବା ସୁନା ଦୋକାନର ଜଣେ କର୍ମଚାରୀଙ୍କର ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।
You Can Read:
ମୃତ୍ୟୁ ପରେ ବି ଏକାଧିକ ବ୍ୟକ୍ତିଙ୍କ ଜୀବନ ରକ୍ଷା କଲେ ଆଠଗଡ଼ର ପ୍ରହଲ୍ଲାଦ