ରାଜ୍ୟରେ ସବୁ ହସ୍ପିଟାଲରେ ରହିବ ସିଟି ସ୍କାନ, ପିପିପି ମୋଡ୍‌ରେ କରାଯିବ ଉପଲବ୍ଧ

Published By : Prameya-News7 Bureau | July 01, 2024 IST

ଭୁବନେଶ୍ବର: ରାଜ୍ୟରେ ସବୁ ହସ୍ପିଟାଲରେ ରହିବ ସିଟି ସ୍କାନ। ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବି ରହିବ। ଏମଆରଆଇ ଓ ଡାଇଲିସିସ୍‌ ସୁବିଧା ମଧ୍ୟ ଉପଲବ୍ଧ ହେବ। ପିପିପି ମୋଡ୍‌ରେ ଉପଲବ୍ଧ କରାଇବାକୁ ନିଷ୍ପତ୍ତି। ପିପିପି ମୋଡ୍‌ରେ ନିଯୁକ୍ତ ହେବେ ବିଶେଷଜ୍ଞ ଷ୍ଟାଫ୍‌। ସୋମବାର, ସ୍ବାସ୍ଥ୍ୟ ବିଭାଗ ତରଫରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି।  

ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାଇଲିସିସ୍‌, ସିଟି ସ୍କାନ ଓ ଏମଆରଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗିତା ବା ପିପିପି ମୋଡ୍‌ରେ ଉପଲବ୍ଧହେବ।

ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଓ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିୟୋଜିତ ସେବା ପ୍ରଦାନାରକାରୀ ସଂସ୍ଥାଗୁଡ଼ିକୁ ସମୟ ସମୟରେ ମନିଟରିଂ ମଧ୍ୟ କରାଯିବ। ଏହି ସଂସ୍ଥାଗୁଡ଼ିକ ଚୁକ୍ତିନାମା ପରିସରଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ। ତଥାପି ଚୁକ୍ତି ଅବଧି ମଧ୍ୟରେ ରହିଛି ଡାକ୍ତର ଓ ବିଶେଷଜ୍ଞଙ୍କ ଯୋଗ୍ୟତା, ପରିଚୟପତ୍ରର ଯାଞ୍ଚ କରାଯିବ। 

ଏକ ସପ୍ତାହ ମଧ୍ୟରେ ସମ୍ପୃକ୍ତ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ପରିଚୟପତ୍ରର ଯାଞ୍ଚ କରି ବିଭାଗକୁ ପଠାଇବା ପାଇଁ ରାଜ୍ୟର ସମସ୍ତ ମୁଖ୍ୟ ଅଧିକାରୀ, ଜନସ୍ବାସ୍ଥ୍ୟ ଅଧିକାରୀ ଓ ନିର୍ଦ୍ଦେଶକଙ୍କୁ ସୂଚିତ କରାଯାଇଛି। 

ଆହୁରି ମଧ୍ୟ ନିୟୋଜିତ ହେବାକୁ ଥିବା ଡାକ୍ତର ଓ ବିଶେଷଜ୍ଞମାନେ ଶାରୀରିକ ଭାବରେ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ଠାରୁ ନିଜ ଯୋଗ୍ୟତା ପ୍ରମାଣପତ୍ରର ଯାଞ୍ଚ କରାଇବେ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.