କେନ୍ଦ୍ରାପଡ଼ାରୁ ଭଦ୍ରକ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ‘ଦାନା’, ପବନର ବେଗ ୧୦୦ରୁ ୧୨୦କି.ମି. ସମ୍ଭାବନା

Published By : Prameya-News7 Bureau | October 22, 2024 IST

ଭୁବନେଶ୍ବର ୨୨।୧୦: ମଙ୍ଗଳବାର ସକାଳେ ଅବପାତର ରୂପ ନେଇଛି ସମ୍ଭାବ୍ୟ ବାତ୍ୟା ‘ଦାନା’ ।  ୨୪ ତାରିଖ ସୁଧା ସୃଷ୍ଟି ହେବ ଭୀଷଣ ବାତ୍ୟା । ୨୪ ରାତି ବା ୨୫ ଭୋରରେ ଲ୍ୟାଣ୍ଡଫଲ ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ାରୁ ଭଦ୍ରକ ମଧ୍ୟରେ ହୋଇପାରେ ଲ୍ୟାଣ୍ଡଫଲ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହି ସମୟରେ ପବନର ବେଗ ମଧ୍ୟ ୧୦୦ରୁ ୧୧୦ ବା ୧୨୦ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ ବେଳେ ବାତ୍ୟା ‘ଦାନା’ ଭୀଷଣ ବାତ୍ଯା ଭାବେ ଅତିକ୍ରମ କରିବ । ତାପରେ ଦୁର୍ବଳ ହେବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ବର୍ତ୍ତମାନ ପୂର୍ବକେନ୍ଦ୍ର ବଙ୍ଗୋପସାଗରରେ ଥିବା ସଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ୬ କିଲୋମିଟର ପ୍ରତି ଘଣ୍ଟାରେ ଗତି କରୁଛି । ୨୩ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ବାତ୍ୟା ପ୍ରଭାବରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର, ପବନର ବେଗ ୧୦୦ରୁ ୧୧୦ ଓ ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେବାର ସମ୍ଭାବନା ରହିଛି । 

ବାତ୍ୟା ଦାନା ପ୍ରଭାବରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ମଧ୍ୟ ପବନର ବେଗ ଅଧିକ ରହିବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ୬୦ରୁ ୯୦ ଓ ଝଟକା ପବନ ୧୦୦ କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବୁଧବାର ଠାରୁ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଆରମ୍ଭ ହୋଇଯିବ । ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, ଜଗତସିଂହପୁର ଓ ପୁରୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ଯଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ବାରଣ କରାଯାଇଛି । ଏହା ଛଡ଼ା ଓଡ଼ିଶାର ସମସ୍ତ ବନ୍ଦରରେ ବିପଦ ସଙ୍କେତ ଡିସି ୧ ଜାରି କରାଯାଇଛି । ବାତ୍ୟାର ଅଧିକ ପ୍ରଭାବ ରେଡ୍ ଆଲର୍ଟ ଜାରି କରାଯାଇଥିବା ସ୍ଥାନ ମାନଙ୍କରେ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି । 

You Can Read:

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅଷ୍ଟମରୁ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଘୁଞ୍ଚିଲା

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.