ମିଥୁନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି, ଋଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ଆଓ୍ଵାର୍ଡ

Published By : Prameya-News7 Bureau | October 08, 2024 IST

livehindustan

ନୂଆଦିଲ୍ଲୀ: ୭୦ତମ ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ବଲିଉଡର ଖ୍ୟାତାନାମ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସିନେ ଜଗତର ସବୁଠୁ ବଡ଼ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି। କନ୍ନଡ ଫିଲ୍ମର ସୁପରଷ୍ଟାର ଋଷଭ ସେଟ୍ଟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଜାତୀୟ ଫିଲ୍ମ ପୁରସ୍କାର ସମାରୋହରେ ବିଭିନ୍ନ ଭାଷାର ସର୍ବଶ୍ରେଷ୍ଠ ଭାରତୀୟ ଫିଲ୍ମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। 

ସମାରୋହରେ ମିଥୁନଙ୍କ ଫିଲ୍ମ ଯାତ୍ରାର ସ୍ମରଣୀୟ ଦୃଶ୍ୟ ପ୍ରଦର୍ଶିତ ହେବା ପରେ ତାଙ୍କୁ ମଞ୍ଚକୁ ଡକାଯାଇଥିଲା। ମିଥୁନ ନିଜ ସହାୟକଙ୍କ ସାହାରାରେ ମଞ୍ଚରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଉପକୌଢନ ଏବଂ ପ୍ରଶସ୍ତି ପତ୍ର ଦେଇ ତାଙ୍କୁ ସମ୍ମାନିତ କରିଥିଲେ। ଫିଲ୍ମ ଜଗତରେ ମିଥୁନ ଚକ୍ରବର୍ତ୍ତୀଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ବିଜ୍ଞାନ ଭବନରେ ସମସ୍ତେ ଛିଡ଼ା  ହୋଇ କରତାଲି ସହ ତାଙ୍କୁ ସମ୍ମାନ ଦେଇଥିଲେ। ସମ୍ମାନ ଗ୍ରହଣ କରିବା ପରେ ମିଥୁନ ଭାବୁକ ହୋଇ ପଡ଼ିଥିଲେ। 

ଏହି ଅବସରରେ ସେ କହିଛନ୍ତି, ଆପଣ ସମସ୍ତଙ୍କ ଆଶୀର୍ବାଦରେ ମୁଁ ଏହି ମଞ୍ଚ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ମୋତେ କୌଣସି ଜିନିଷ ସହଜରେ ମିଳିନାହିଁ। ମୁଁ ବହୁତ ସଂଘର୍ଷ କରିଛି। ଆଜି ଏହି ପୁରସ୍କାର ପାଇବା ପରେ ମୁଁ ଅଭିଯୋଗ କରିବା ଛାଡି ଦେଇଛି। ଭଗବାନଙ୍କୁ ଧନ୍ୟବାଦ, ସେ ମୋତେ ସବୁ କିଛି ସୁଧ ସହିତ ଫେରାଇ ଦେଇଛନ୍ତି। ସେ କହିଛନ୍ତି, ଆମ ଦେଶରେ ଅନେକ ପ୍ରତିଭାବାନ କଳାକାର ରହିଛନ୍ତି। କିନ୍ତୁ ସେମାନଙ୍କ ପାଖରେ ଘୋର ଅର୍ଥାଭାବ ରହିଛି। 

କନ୍ନଡ଼ ଫିଲ୍ମର ସୁପରଷ୍ଟାର ଋଷଭ ସେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ନିଜ ନାମରେ କରିଛନ୍ତି। ‘କାନ୍ତାରା’ ଫିଲ୍ମ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ମାଲାୟଲମ ଭାଷାର ଫିଲ୍ମ ‘ଆଟ୍ଟମ’ ଶ୍ରେଷ୍ଠ ଫିଚର ଫିଲ୍ମର ପୁରସ୍କାର ଜିତିଛି।  ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ନିତ୍ୟା ମେନନ ଓ ମାନସୀ ପାରେଖ ଯୁଗ୍ମ ଭାବେ ପୁରସ୍କୃତ ହୋଇଛନ୍ତି। ଫିଲ୍ମ ‘ଉଞ୍ଚାଇ’ ପାଇଁ ସୁରଜ ବଡ଼ଜାତ୍ୟାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ନୀନା ଗୁପ୍ତାଙ୍କୁ ‘ଉଞ୍ଚାଇ’ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି। ଫିଲ୍ମ ‘ଫୌଜା’ ପାଇଁ ଶ୍ରେଷ୍ଠ ସହ ଅଭିନେତା ଭାବେ ପବନ ମାଲହୋତ୍ରାଙ୍କୁ ସମ୍ମାନିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.