ରେଷ୍ଟୁରାଣ୍ଟରୁ ଉଦ୍ଧାର ହେଲା କର୍ମଚାରୀଙ୍କ ମୃତ ଦେହ, ୪ ଦିନରୁ ନିଖୋଜ ଥିଲେ

Published By : Prameya-News7 Bureau | February 11, 2025 IST

ବ୍ରହ୍ମପୁର: ଚାରି ଦିନ ତଳେ ଗାଁକୁ ଯାଉଥିବା କହିଥିଲେ ।ହେଲେ ଚାରି ଦିନ ପରେ ରେଷ୍ଟୁରାଣ୍ଟରୁ ମିଳିଲା କର୍ମଚାରୀଙ୍କ ଗଳିତ ମୃତ ଦେହ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବହ୍ମପୁର ଟାଉନ ଥାନା ଧର୍ମ ନଗରରେ। ଏଠାରେ ଥିବା ଏକ ରେଷ୍ଟୁରାଣ୍ଟର ବାଥରୁମ୍‌ରୁ ଉଦ୍ଧାର ହୋଇଛି କର୍ମଚାରୀଙ୍କୁ ମୃତ ଦେହ।ମୃତ କର୍ମଚାରୀ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅଞ୍ଚଳର ପ୍ରେମାନନ୍ଦ ମଲିକ ବୟସ(୨୪)। 

ସୂଚନା ଅନୁଯାୟୀ, ପ୍ରେମାନନ୍ଦ ଧର୍ମ ନଗର ସ୍ଥିତ ଗିରିଜା ରେଷ୍ଟୁରାଣ୍ଟର କାମ କରୁଥିଲେ। ହେଲେ ୪ ଦିନ ତଳେ ସେ ଗାଁକୁ ଯାଉଥିବା କହିଥିଲେ। ହେଲେ ମଙ୍ଗଳବାର ତାଙ୍କର ମୃତ ଦେହ ରେଷ୍ଟୁରାଣ୍ଟର ପ୍ରଥମ ମହଲାରେ ଥିବା ଏକ ଅବ୍ୟବହୃତ ବାଥରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଅନ୍ୟ କର୍ମଚାରୀମାନେ ହୋଟେଲରେ ହେଉଥିବା ଦୁର୍ଗନ୍ଧର କାରଣ ଖୋଜିବା ସମୟରେ ଏହି ଅବ୍ୟବହୃତ ବାଥରୁମରେ ପ୍ରେମାନନ୍ଦଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ତେବେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। 

ପ୍ରେମ ସମ୍ପର୍କକୁ ନେଇ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ କହୁଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି କହିଛି। ତେବେ ଏସବୁ ମଧ୍ୟରେ ଉପର ମହଲାରେ ପ୍ରତିଦିନ ଲୋକେ ହୋଟେଲକୁ ଆସନ୍ତି। ଏମିତିରେ କେହି କିଭଳି ମୃତକ ବିଷୟରେ କେହି ସୁରାକ ପାଇଲେ ନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି । କିପରି ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.