ଅନିର୍ଦ୍ଦିଷ୍ଟ କାଳ ଯାଏ IGI ଟର୍ମିନାଲ ୧ରୁ ଉଡାଣ ବନ୍ଦ, ସକାଳେ ଭୁଶୁଡ଼ିଥିଲା ପୁରୁଣା ଛାତ

Published By : Prameya-News7 Bureau | June 28, 2024 IST

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟର ଟର୍ମିନାଲ ୧ରୁ ବିମାନ ପରିଚାଳନାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରାଯାଇଛି । ଶୁକ୍ରବାର ସକାଳେ ଛାତର ଗୋଟିଏ ବଡ଼ ଭାଗ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ । ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ଶୁକ୍ରବାର ସଂଧ୍ୟାରେ ସୂଚନା ଦେଇ କହିଛି ଯେ ଟର୍ମିନାଲ ୧ର ପୁରୁଣା ଛାତ ଭୁଶୁଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଟର୍ମିନାଲର ଏହି ପୁରୁଣା ଛାତ ସକାଳ ୫ଟାରେ ଭୁଶୁଡ଼ି ପଡ଼ିଥିଲା । ଏଜେନ୍ସିର କହିବା ଅନୁସାରେ ଛାତ କେଉଁ କାରଣରୁ ଭୁଶୁଡ଼ିଲା ତାହା ସ୍ପଷ୍ଟ ହୋଇ ନାହିଁ, ଏହାର କାରଣ ଖୋଜା ଚାଲିଛି ।

ପ୍ରାଧିକରଣର କହିବା ଅନୁସାରେ ଦୁର୍ଘଟଣା ପରେ ଲୋକଙ୍କୁ ତତ୍କାଳ ସୁରକ୍ଷିତ ଉଦ୍ଧାର ଏବଂ ଆହତଙ୍କ ଚିକିତ୍ସା ପ୍ରଥମ ପ୍ରାଥମିକତା ଥିଲା । ଏହି ଦୁର୍ଘଟଣାରେ ୪ଟି ଗାଡ଼ି ନଷ୍ଟ ହୋଇଛି । ଏହାସହ ବ୍ୟତିତ ୮ ଜଣ ସାମାନ୍ୟ ରୂପେ ଆହତ ହୋଇଛନ୍ତି । ଏୟାରପୋର୍ଟ ସ୍ଥିତ ମେଦାନ୍ତ ସେଣ୍ଟରେ ସେମାନଙ୍କ ଚିକିତ୍ସା କରାଯାଇଛି । 

ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ପରିଜନଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି । ଏହା ବ୍ୟତିତ ଆହତଙ୍କ ପାଇଁ ୩ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଟର୍ମିନାଲ ୧ରେ ମରାମତି କାମ ଜାରି ରହିଛି ତେଣୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପରିଚାଳନା ଉପରେ ରୋକ୍ ଲଗାଯାଇଛି ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.