ଲୋନାଭାଲା ହିଲଷ୍ଟେସନରେ ଦୁର୍ଘଟଣା, ପିକନିକ୍ କରିବାକୁ ଯାଇଥିବା ୪ ପିଲାଙ୍କ ସମେତ ବୁଡିଗଲେ ୫

Published By : Prameya-News7 Bureau | June 30, 2024 IST

ପୁଣେ ୩୦।୬: ଲୋନାଭାଲା ହିଲଷ୍ଟେସନ ନିକଟସ୍ଥ ଏକ ଝରଣାରେ ଜଣେ ମହିଲା ଓ ୪ ପିଲା ଭାସିଯାଇଛନ୍ତି। ଏହି ସୂଚନା ପୋଲିସ ଅଧିକାରୀ ଦେଇଛନ୍ତି। ଲୋନାଭାଲା ପୋଲିସ ଷ୍ଟେସନ ଓଆଇସି ମୟୁର ଅଗ୍ନୱେ କହିଛନ୍ତି ଯେ ଏହି ଘଟଣା ରବିବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ହୋଇଛି। ପିଲାମାନେ ଭୂଷି ବନ୍ଧ ନିକଟରେ ବହୁଥିବା ପାହାଡି ଝରଣାରେ ଗାଧୋଉଥିବା ବେଳେ ଭାସି ଯାଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁସାରେ ଭାସି ଯାଇଥିବା ମହିଳାଙ୍କ ବୟସ ୪୦ ଓ ପିଲାଙ୍କ ବୟସ ୪ରୁ ୧୩ବର୍ଷ ମଧ୍ୟରେ। 

ଭାସି ଯାଇଥିବା ମହିଳା  ଓ ପିଲାମାନେ ପୁଣେ ସୟଦ ନଗରର ବାସିନ୍ଦା। ସ୍ଥନୀୟ ଲୋକଙ୍କ ଅନୁସାରେ ସେମାନେ ଝରଣା ତଳେ ଲାଗିଥିବା ପଥରରେ ଖସି ପାଣି ବେଗରେ ବହିଯାଇ ବୁଡି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସମେତ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ୪୦ ବର୍ଷ ବୟଷ୍କା ମହିଳା ଓ ୧୩ ବର୍ଷ ବୟସର କିଶୋରୀଙ୍କ ଶବ ଉଦ୍ଧାର ହୋଇଛି। ଅନ୍ୟ ୩ ଜଣଙ୍କ ସନ୍ଧାନ ଜାରି ରହିଛି। 

ଏହି ଘଟଣାରେ ୬ ବର୍ଷର ୨ଟି ଝିଅ ଓ ୪ ବର୍ଷର ଗୋଟିଏ ପୁଅ ନିଖୋଜ ଅଛନ୍ତି। ମୃତ ଓ ନିଖୋଜ ମାନେ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି। ସେମାନେ ଝରଣା ପାଣିରେ ଭାସି ଯାଇ ଜଳାସୟରେ ବୁଡି ପ୍ରାଣ ହରାଇଛନ୍ତି। ଭୂଷି ବନ୍ଧରୁ ୨ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.